‘ହାଉଡି ମୋଦି’ ଏବଂ ‘ନମସ୍ତେ ଟ୍ରମ୍ପ’ ଭଳି ଇଭେଣ୍ଟକୁ ନେଇ ଭାରତବାସୀ ଯାହା ଆଶା ରଖିଥିଲେ ତାହାର ଓଲଟା ଫଳ ଫଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ‘ବନ୍ଧୁ’ ବୋଲି କହିଥାନ୍ତି କିନ୍ତୁ ଟ୍ରମ୍ପଙ୍କ ନୀତି ଆମେରିକା ଫାଷ୍ଟ ରହିଛି ଭାରତ ନୁହେଁ ।
ସେ ଭାରତ ଏବଂ ପାକିସ୍ତାନକୁ ସମାନ ଦୃଷ୍ଟିରେ ଦେଖବା କୋଟି କୋଟି ଭାରତୀୟଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । ଟ୍ରମ୍ପ ଆସିବା ପରେ ଭାରତ ସହ ଆମେରିକାର ସଂପର୍କ ଭଲ ହେବ ଯେଉଁମାନେ ଭାବିଥିଲେ ସେମାନେ ଭୁଲ ଥିଲେ । ଟ୍ରମ୍ପ ଜଣେ ଖୋଲା ବେପାରୀ ଆଉ 6 ମାସ ଭିତରେ ଏହା ସ୍ପଷ୍ଟ ହୋଇଥିବା ରାଜନୀତି ସମୀକ୍ଷକମାନେ ସ୍ପଷ୍ଟ ଭାବେ ଆଲୋଚନା କରୁଛନ୍ତି ।
ଆଜି ବି ଅନେକ ଭାରତ-ଆମେରିକା ସମ୍ପର୍କରେ ଏକ ଅସ୍ପଷ୍ଟତା ରହିଥିବା ପ୍ରକାଶ କରୁଛନ୍ତି। ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ (ଜାନୁଆରୀ 2025ରୁ) ଭାରତ-ଆମେରିକା ସମ୍ପର୍କ ଉପରେ ଅନେକ ପ୍ରଶ୍ନ ଉଠିଛି। ଭାରତ-ପାକିସ୍ତାନ ବିବାଦରେ ଟ୍ରମ୍ପଙ୍କ ନିରପେକ୍ଷ ମନୋଭାବ ଭାରତୀୟଙ୍କୁ ଶକ୍ତ ଆଘାତ ଦେଇଛି ।
ଟ୍ରମ୍ପ ଭାରତ ଉପରେ ଉଚ୍ଚ ଶୁଳ୍କ ଲଗାଇବା ସହ ବେଆଇନ ପ୍ରବାସୀଙ୍କୁ ନିର୍ବାସନ କରିଛନ୍ତି । ଭାରତରେ ଆପଲ୍ ଉତ୍ପାଦନକୁ ଅଟକାଇବା ଭଳି ନିଷ୍ପତ୍ତି ନେଇଛନ୍ତି ଏସବୁ ଭାରତକୁ ନିରାଶ କରିଛି।
ଏହା ସତ୍ତ୍ୱେ ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ବିବାଦ ଏଡ଼ାଇଛନ୍ତି। ଏହି ଏକ୍ସପ୍ଲେନରରେ ଆମେ ଏହାର କାରଣ ଏବଂ ଭାରତ ସରକାର କିପରି ମୁକାବିଲା କରିପାରିବେ, ତାହା ବିଶ୍ଳେଷଣ କରିବୁ।
ଭାରତ-ପାକିସ୍ତାନ ବିବାଦ ସମୟରେ ଟ୍ରମ୍ପଙ୍କ ମନୋଭାବରେ ସନ୍ଦେହ ଦେଖାଦେଉଛି । 22 ଏପ୍ରିଲ 2025ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ 26 ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଭାରତ 6-7 ମଇରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରି, ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଏବଂ ପାକିସ୍ତାନରେ 9ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହି ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ମନୋଭାବ ଭାରତରେ ଅସନ୍ତୋଷ ସୃଷ୍ଟି କରିଛି।
7 ମଇ 2025: ଟ୍ରମ୍ପ ଅପରେସନ ସିନ୍ଦୂର ଉପରେ କହିଥିଲେ, “ଏହା ବହୁତ ଲଜ୍ଜାର କଥା। ସେମାନେ ହଜାର ବର୍ଷ ହେଲା ଲଢ଼ୁଛନ୍ତି… ଆଶା କରୁଛି ଏହା ଶୀଘ୍ର ଶେଷ ହେବ।”
ଟ୍ରମ୍ପ ଭାରତ ଏବଂ ପାକିସ୍ତାନକୁ ସମାନ ଭାବେ ସମ୍ବୋଧନ କରୁଛନ୍ତି ଯାହାକୁ ନେଇ ଭାରତୀୟମାନେ ଏବେ ଖପା । ଏକ ଆତଙ୍କବାଦୀ ପାଳୁଥିବା ଦେଶକୁ ଟ୍ରମ୍ପ ଏତେ ଗୁରୁତ୍ବ ଦେଉଛନ୍ତି କାହିଁକି ତାହା ବୁଝାପଡ଼ୁନାହିଁ। ଭାରତ ନିଜକୁ ଆତଙ୍କବାଦର ଶିକାର ହେଉଥିବା ବିଶ୍ବକୁ ବର୍ଷ ବର୍ଷ ହେଲା କହୁଛି ଏବଂ ପାକିସ୍ତାନକୁ ଆତଙ୍କବାଦର ସମର୍ଥକ ଭାବେ ସମସ୍ତଙ୍କୁ ପ୍ରମାଣ ଦେଇ ଆସୁଥିବା ବେଳେ ଟ୍ରମ୍ପ ଏବଂ ଆମେରିକାର ନୀତିରେ ପାକିସ୍ତାନ ପ୍ରତି ସପ୍ଟ ମନୋଭାବ ଗ୍ରହଣୀୟ ହୋଇପାରୁନାହିଁ। ଟ୍ରମ୍ପଙ୍କ ମନୋଭାବ ଆତଙ୍କବାଦର ପୀଡ଼ିତ ଓ ପ୍ରାୟୋଜକଙ୍କୁ ସମାନ ଭାବେ ବ୍ୟବହାର କରୁଛି, ଯାହା ଭାରତର ସ୍ୱାର୍ଥ ବିରୋଧୀ। ଭାରତ ନୀତି ବିରୋଧୀ ।
10 ମଇ 2025ରେ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଦାବି କରିଥିଲେ, “ଆମେରିକାର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି।” ଏହା କହି ସେ କ୍ରେଡିଟ ନେବାକୁ ଚାହୁଁଛନ୍ତି ।
ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲା ଯେ ଯୁଦ୍ଧବିରତି ଭାରତୀୟ ଓ ପାକିସ୍ତାନୀ ଡିଜିଏମଓଙ୍କ ଫୋନ୍ କଲ୍ ମାଧ୍ୟମରେ ହୋଇଛି, ଆମେରିକାର କୌଣସି ଭୂମିକା ନାହିଁ। ପ୍ରଧାନମନ୍ତ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ଏହା ପୁନରାବୃତ୍ତି କରିଥିଲେ।
11 ମଇ 2025ରେ ଟ୍ରମ୍ପ କହିଥିଲେ, “ମୁଁ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ଓ ପାକିସ୍ତାନ ସହ କାମ କରିବି।”
ଭାରତ କାଶ୍ମୀରକୁ ଆଭ୍ୟନ୍ତରୀଣ ମାମଲା ମାନେ ଏବଂ ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣ କରେ ନାହିଁ। ଟ୍ରମ୍ପଙ୍କ ଏହି ବିବୃତ୍ତି ଭାରତର ଅବସ୍ଥାନକୁ ଅଗ୍ରାହ୍ୟ କରିଛି।
13 ମଇ 2025ରେ ସାଉଦି ଗସ୍ତ ସମୟରେ ଟ୍ରମ୍ପ କହିଥିଲେ, “ମୁଁ ଭାରତ ଓ ପାକିସ୍ତାନକୁ ପରମାଣୁ କ୍ଷେପଣାସ୍ତ୍ର ବନ୍ଦ କରି ବାଣିଜ୍ୟ ବଢ଼ାଇବାକୁ କହିଛି।” ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲା ଯେ ଆଲୋଚନାରେ ବାଣିଜ୍ୟ ବିଷୟ ଉଠି ନଥିଲା।
15 ମଇ 2025ରେ ଟ୍ରମ୍ପ ଦୋହାରେ କହିଥିଲେ, “ମୁଁ ଯୁଦ୍ଧବିରତି କରାଇଛି ବୋଲି କହୁନାହିଁ, କିନ୍ତୁ ମୁଁ ଭାରତ-ପାକିସ୍ତାନ ବିବାଦ ସମାଧାନରେ ସାହାଯ୍ୟ କରିଛି।” ଏହା ଟ୍ରମ୍ପଙ୍କ ପୂର୍ବ ଦାବିରୁ ପଛଘୁଞ୍ଚା ଥିଲା, କିନ୍ତୁ ତାଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ରହିଥିଲା।
ଟ୍ରମ୍ପଙ୍କ ନିରପେକ୍ଷ ମନୋଭାବ ଭାରତର ଆତଙ୍କବାଦ ବିରୋଧୀ ଅବସ୍ଥାନକୁ ଦୁର୍ବଳ କରୁଛି। କାଶ୍ମୀରରେ ମଧ୍ୟସ୍ଥତା ପ୍ରସ୍ତାବ ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରୁଛି। ଟ୍ରମ୍ପଙ୍କ ବିବୃତ୍ତି ଅସ୍ପଷ୍ଟ ଓ ଆମେରିକାର ଭୂମିକାକୁ ବଢ଼ାଇ ଦେଖାଉଛି, ଯାହା ଭାରତକୁ ଅସ୍ୱସ୍ତିକର କରୁଛି।
ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ କିଛି ନିଷ୍ପତ୍ତି ଭାରତ ପାଇଁ ଝଟକା ହୋଇଛି । 20 ଜାନୁଆରୀ 2025ରେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ, ଟ୍ରମ୍ପଙ୍କ 4ଟି ନିଷ୍ପତ୍ତି ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି:
5 ଫେବୃଆରୀ 2025ରେ ଟ୍ରମ୍ପ 104 ଜଣ ଭାରତୀୟ ଅବୈଧ ପ୍ରବାସୀଙ୍କୁ ସାମରିକ ବିମାନରେ ଭାରତ ଫେରାଇ ଥିଲେ। ଏମାନଙ୍କୁ ହାତ-ଗୋଡ଼ ବାନ୍ଧି, ଶୌଚାଳୟ ସୁବିଧା ବିନା ପଠାଯାଇଥିଲା। ଏପ୍ରିଲ ସୁଦ୍ଧା 682 ଜଣ ନିର୍ବାସିତ ହୋଇଛନ୍ତି। ଏହା ‘ବନ୍ଧୁତ୍ୱପୂର୍ଣ୍ଣ’ ଦେଶର ନାଗରିକଙ୍କ ସହ ଅମାନବୀୟ ବ୍ୟବହାର ବୋଲି ଭାରତରେ ଦେଖାଯାଇଛି। ଏନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
26% ପାରସ୍ପରିକ ଶୁଳ୍କ:
3 ଏପ୍ରିଲ 2025ରେ ଟ୍ରମ୍ପ ଭାରତ ଉପରେ 26% ଶୁଳ୍କ ଲାଗୁ କରିଥିଲେ, ଯେତେବେଳେ ୟୁକେ (10%), ଇସ୍ରାଏଲ (17%), ଓ ଅଷ୍ଟ୍ରେଲିଆ (10%) ଭଳି ଦେଶଙ୍କ ଉପରେ କମ୍ ଶୁଳ୍କ ଲାଗିଥିଲା। 9 ଏପ୍ରିଲରେ 90 ଦିନ ପାଇଁ ଶୁଳ୍କ ଉପରେ ରୋକ ଲାଗିଥିଲା, କିନ୍ତୁ 15 ମଇରେ ଟ୍ରମ୍ପ ଦାବି କରିଥିଲେ ଯେ ଭାରତ ଶୂନ୍ୟ ଶୁଳ୍କ ପ୍ରସ୍ତାବ ଦେଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ ଆଲୋଚନା ଚାଲିଛି। ସେପଟେ ଉଚ୍ଚ ଶୁଳ୍କ ଭାରତୀୟ ରପ୍ତାନିକୁ ପ୍ରଭାବିତ କରିଛି ଓ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ଜଟିଳ କରିଛି ।
ଭାରତୀୟ ନାଗରିକମାନେ ଆଶା ରଖିଥିଲେ ଭାରତ-ପାକିସ୍ତାନ ବିବାଦରେ ଟ୍ରମ୍ପ ଭାରତର ଆତଙ୍କବାଦ ବିରୋଧୀ ଅଭିଯାନକୁ ଖୋଲାଖୋଲି ସମର୍ଥନ କରିବେ କିନ୍ତୁ ସେ କରିନଥିଲେ। ସେ ଆତଙ୍କବାଦୀ ଆକ୍ରମଣ ଓ ଭାରତର ପ୍ରତିଶୋଧକୁ ସମାନ ଭାବେ ତୁଳନା କରିଥିଲେ। ଏହା ଭାରତର ରାଜନୈତିକ ଓ ଜନସାଧାରଣଙ୍କ ମନୋଭାବକୁ ଆଘାତ ଦେଇଛି।
ସେହିପରି 15 ମଇ 2025ରେ ଦୋହାରେ ଟ୍ରମ୍ପ କହିଥିଲେ, “ମୁଁ ଆପଲ୍ ସିଇଓ ଟିମ୍ କୁକ୍ଙ୍କୁ କହିଛି ଯେ ତାଙ୍କୁ ଭାରତରେ କାରଖାନା ସ୍ଥାପନ କରିବା ଉଚିତ୍ ନୁହେଁ।” ଏହା ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଉଦ୍ୟୋଗ ଓ ଅର୍ଥନୈତିକ ଲକ୍ଷ୍ୟକୁ ବାଧା ସୃଷ୍ଟି କରୁଛି।
ଟ୍ରମ୍ପ କାହିଁକି ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?
ଟ୍ରମ୍ପ ମୋଦିଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ବଜାୟ ରଖିଛନ୍ତି କିନ୍ତୁ ଭାରତ-ଆମେରିକା ସମ୍ପର୍କର ଭିତରେ ଆମେରିକା ଫାଷ୍ଟ ନୀତିକୁ ବଜାୟ ରଖିବାକୁ ଚାହାଁନ୍ତି। ଖୋଲା ବିବାଦ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ କ୍ଷତି ପହଞ୍ଚାଇପାରେ ସେ ଜାଣିଛନ୍ତି ତେଣୁ ସେ ଅଧା ଅଧାର ଅଟକି ରହୁଛନ୍ତି ।
ଭାରତ ଏକ ବଡ଼ ବଜାର ଓ ଚୀନ ବିରୋଧୀ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଟ୍ରମ୍ପ ଏହାକୁ ବିନାଶ କରିବାକୁ ଚାହାଁନ୍ତି ନାହିଁ। ତେଣୁ ମୋଦିଙ୍କୁ ବନ୍ଧୁ କହୁଛନ୍ତି ସେପଟେ ଅର୍ଥନୀତିରେ ଲାଭ ପାଇଁ ସେ ଭାରତ ଉପରେ କଠୋରେ ହେଉଛନ୍ତି ।
‘ଆମେରିକା ଫାଷ୍ଟ’ ନୀତି:
ଟ୍ରମ୍ପଙ୍କ ନୀତି ହେଉଛି ଆମେରିକାର ଅର୍ଥନୈତିକ ସ୍ୱାର୍ଥକୁ ପ୍ରାଥମିକତା ଦେବା । ଭାରତ ଉପରେ ଶୁଳ୍କ ବୃଦ୍ଧି, ଆପଲ୍ ଉତ୍ପାଦନ ଅଟକାଇବା ଭଳି ନିଷ୍ପତ୍ତି ଆମେରିକାରେ ଉତ୍ପାଦନ ଓ ଚାକିରି ବଢ଼ାଇବା ଲକ୍ଷ୍ୟ ରଖିଛି।
ଅବଶ୍ୟ ଟ୍ରମ୍ପଙ୍କର ଏହି ନୀତି ଯାହା କି ଭାରତ ପ୍ରତି ଶତ୍ରୁତା ନୁହେଁ, ବରଂ ଟ୍ରମ୍ପଙ୍କ ଘରୋଇ ଏଜେଣ୍ଡାର ଅଂଶ। କିନ୍ତୁ ଏହାକୁ ଏବେ ଭାରତୀୟ ଲୋକେ ଗ୍ରହଣ କରିବାକୁ ନାରାଜ । ସେମାନେ ଭାରତ କାହିଁକି ଫାଷ୍ଟ ନୁହେଁ ବୋଲି ପ୍ରଶ୍ନ କଲେଣି । ସୋସିଆଲ ମିଡିଆରେ ଏବେ ଟ୍ରମ୍ପ ଟ୍ରୋଲ ହେଉଛନ୍ତି । ତାଙ୍କୁ ଭାରତୀୟମାନେ ଅନେକ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି ।
ବିଶ୍ୱ ରାଜନୀତିରେ ବଡ଼ ଭାଇ
ଟ୍ରମ୍ପ ଭାରତ-ପାକିସ୍ତାନ ବିବାଦରେ ନିରପେକ୍ଷ ରହି ଆମେରିକାକୁ ‘ଶାନ୍ତି ସ୍ଥାପକ’ ଭାବେ ପ୍ରତିଷ୍ଠା କରିବାକୁ ଚାହାଁନ୍ତି। ନିଜକୁ ଏଥିପାଇଁ କ୍ରେଡିଟ ମିଳିବାକୁ ସେ ଦାବି କରନ୍ତି ଏପରି କରି ସେ ନୋବେଲ ଶାନ୍ତି ପୁରସ୍କାର ହାତେଇବାକୁ ଚାହାଁନ୍ତି । ଏହା ତାଙ୍କ ବୈଶ୍ୱିକ ପ୍ରଭାବ ବଢ଼ାଇବ ବୋଲି ସେ ଆଶା ରଖିଛନ୍ତି ।
ପାକିସ୍ତାନ ସହ ସମ୍ପର୍କ କୁ ଟ୍ରମ୍ପ ଗୁରୁତ୍ବ ଦେଉଛନ୍ତି
ପାକିସ୍ତାନକୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାଁନ୍ତି ଟ୍ରମ୍ପ । ପାକିସ୍ତାନ ସହ ଭଲ ସଂପର୍କ ବଜାୟ ରଖିବା ମଧ୍ୟ ଆମେରିକାର ଆଫଗାନିସ୍ତାନ ଓ ଦକ୍ଷିଣ ଏସିଆ ରଣନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଚୀନ, ଆଫଗାନିସ୍ତାନ ଉପରେ ନଜର ରଖିବା ପାଇଁ ପାକିସ୍ତାନ ସର୍ବଦା ପାକିସ୍ତାନ ମାଟିକୁ ବ୍ୟବହାର କରୁଛି । ତେଣୁ ଆମେରିକା ସହ ଏବେ ଭାରତର ‘ବନ୍ଧୁତା’ ମହଙ୍ଗା ପଡ଼ୁଛି ।
ଅର୍ଥନୈତିକ କ୍ଷତି
ଆମେରିକାର 26% ଶୁଳ୍କ ଭାରତୀୟ ରପ୍ତାନି ଉପରେ ପ୍ରଭାବ ପକାଇଛି। ଆପଲ୍ ଉତ୍ପାଦନ ଅଟକିବା ଭାରତର ଉତ୍ପାଦନ କ୍ଷେତ୍ରରେ ବିଦେଶୀ ବିନିଯୋଗକୁ ହ୍ରାସ କରିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ଆମେରିକାରେ ବେନିୟମ ଭାବେ ରହୁଥିବା ପ୍ରବାସୀଙ୍କ ସହ କଠୋର ବ୍ୟବହାର ଓ ଆତଙ୍କବାଦ ପ୍ରତି ଟ୍ରମ୍ପଙ୍କ ନରମ ମନୋଭାବ ଭାରତୀୟ ଜନସାଧାରଣଙ୍କୁ ନିରାଶ କରିଛି।
ରାଜନୈତିକ ଚାପ:
ଟ୍ରମ୍ପଙ୍କ କାଶ୍ମୀର ମଧ୍ୟସ୍ଥତା ପ୍ରସ୍ତାବ ଭାରତର ସାର୍ବଭୌମତ୍ୱ ଉପରେ ଚାପ ସୃଷ୍ଟି କରୁଛି। ଭାରତ ଏଥିରେ ଅନ୍ୟ ରାଷ୍ଟ୍ରର ମଧ୍ୟସ୍ତି କେବେ ଚାହୁଁନାହିଁ । କିନ୍ତୁ ପାକିସ୍ତାନ ଚାହୁଁଛି ।
ଭାରତ-ଆମେରିକା ସମ୍ପର୍କ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏମିତି ଟ୍ରମ୍ପଙ୍କ କିଛି ନିଷ୍ପତ୍ତି ଭାରତକୁ ଦ୍ବନ୍ଦ୍ବରେ ପକାଇଛି। ଯଦିଓ ଟ୍ରମ୍ପଙ୍କ ଶୁଳ୍କ ନୀତି ସମସ୍ତ ଦେଶ ପାଇଁ, ଭାରତ ଏକମାତ୍ର ଟାର୍ଗେଟ ନୁହେଁ। ତଥାପି ଭାରତକୁ କିଛି ଫାଇଦା ହେବନାହିଁ ବୋଲି ସମୀକ୍ଷକ କହୁଛନ୍ତି । ସେପଟେ କିନ୍ତୁ ଯୁଦ୍ଧବିରତି ଆଲୋଚନାରେ ଭାରତ ଆମେରିକାର ମଧ୍ୟସ୍ଥତା କୁ ପ୍ରତ୍ୟାଖ୍ୟାନ କରି ନିଜର ସ୍ଥିତି ସ୍ପଷ୍ଟ କରିଛି।
ଗତ ଦୁଇ ସପ୍ତାହ ହେଲା ଭାରତ ଟ୍ରମ୍ପଙ୍କ ବିବୃତ୍ତିକୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରି ଚାଲିଛି। ସବୁଠୁ ବଡ଼ କଥା ହେଲା ମୋଦି ଓ ଜୟଶଙ୍କର କାଶ୍ମୀରରେ ତୃତୀୟ ପକ୍ଷ ହସ୍ତକ୍ଷେପକୁ ଅସ୍ୱୀକାର କରିଛନ୍ତି।
ଯଦିଓ ଭାରତ ଆମେରିକା ସହ ପ୍ରତିରକ୍ଷା ଓ ଚୀନ ବିରୋଧୀ ରଣନୀତିରେ ସହଯୋଗ ବଢ଼ାଇ ସମ୍ପର୍କ ଆଗାମୀ ଦିନରେ ସନ୍ତୁଳନ ରଖିପାରେ। କିନ୍ତୁ ବର୍ତ୍ତମାନର ଟ୍ରମ୍ପ ଭାରତ ପାଇଁ କିଛି ଭଲ ଖବର ଆଣିପାରିନାହାଁନ୍ତି । ଶୁଳ୍କ ବିଷୟରେ ଆମେରିକା ସହ ଆଲୋଚନା ଜାରି ରଖିଛି ଆଗାମୀ ଦିନରେ ଟ୍ରମ୍ପଙ୍କ ନୀତି ସ୍ପଷ୍ଟ କରିବ ଯେ ଭାରତ ପାରସ୍ପରିକ ଲାଭଜନକ ଚୁକ୍ତି କରିପାରୁଛି ନା ନାହିଁ।
ଗତ କିଛି ଦିନ ହେଲା ଟ୍ରମ୍ପଙ୍କ ନୀତି ଭାରତ ପାଇଁ ଅର୍ଥନୈତିକ ଓ ରାଜନୈତିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ବେଳେ ଟ୍ରମ୍ପ ସେପରି କିଛି ପାକିସ୍ତାନ ବିରୋଧରେ କହିନାହାଁନ୍ତି । ଟ୍ରମ୍ପ କିନ୍ତୁ ଖୋଲା ବିବାଦ ଏଡ଼ାଇବା ତାଙ୍କ ରଣନୀତିର ଅଂଶ। ଏହା ସ୍ପଷ୍ଟ ହୋଇଛି । ଟ୍ରମ୍ପଙ୍କ ସହ ଭାରତର ‘ବନ୍ଧୁତା’ କିଛି ଦିଗରେ ମହଙ୍ଗା ପଡ଼ୁଛି, କିନ୍ତୁ ଏହା ଦୀର୍ଘକାଳୀନ ରଣନୈତିକ ଲାଭ ମଧ୍ୟ ଦେଇପାରେ ଏହା ରାଜନୀତି ସମୀକ୍ଷକମାନେ ମତ ଦେଉଛନ୍ତି। ଭାରତ ସରକାର କୂଟନୈତିକ ସଂଯମ, ବାଣିଜ୍ୟ ବିବିଧୀକରଣ, ଓ ଅର୍ଥନୈତିକ ସ୍ୱାବଲମ୍ବନ ମାଧ୍ୟମରେ ଏହାର ମୁକାବିଲା କରିପାରିବେ ବୋଲି ଚର୍ଚା ହେଉଛି। ତେବ ଟ୍ରମ୍ପ-ମୋଦି ବନ୍ଧୁତା ଭାରତକୁ କେତେ ଲାଭ ଦେଉଛି ତାହା ସମୟ କହିବ ।