ଭାରତୀୟ ସେନା ଏବେ ଅପରେସନ୍ ସିନ୍ଦୂରର ସଫଳତାକୁ ଉତ୍ସବ ମନାଉଛି । ଭାରତ ସରକାର ସ୍ପଷ୍ଟ କରିଛନ୍ତି କି, ସୀମାପାରରୁ ଯେକୌଣସି ଆକ୍ରମଣକୁ ଭାରତ ଯୁଦ୍ଧ ବୋଲି ବିବେଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାରି ଭିତରେ ଖବର ଆସୁଛି କି, ଭାରତ ସରକାର ପ୍ରତିରକ୍ଷା ବଜେଟର ଆକାର ବୃଦ୍ଧି କରିବାକୁ ଯାଉଛନ୍ତି । ପ୍ରତିରକ୍ଷା ବଜେଟରେ ଅତିରିକ୍ତ ଅର୍ଥ ଆବଣ୍ଟିତ କରାଯାଇପାରେ ! ଏନେଇ ସରକାର ଅତିରିକ୍ତ ୫୦ ହଜାର କୋଟି ଟଙ୍କା ପ୍ରତିରକ୍ଷା ବଜେଟକୁ ଦେଇପାରନ୍ତି ! ଏହି ଅର୍ଥ ସେନାର ଆବଶ୍ୟକତା, ଅସ୍ତ୍ରଶସ୍ତ୍ର କିଣିବା, ରିସର୍ଚ୍ଚ ଓ ଡେଭଲପମେଣ୍ଟ୍ ପାଇଁ ଖର୍ଚ୍ଚ କରାଯିବ । ଏବେ ଆସନ୍ତୁ ଜାଣିବା ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?
ଭାରତ ସରକାର ଚଳିତ ବର୍ଷ ୬.୮୧ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରିଥିଲେ । ପରିସଂଖ୍ୟାନ ମୁତାବକ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଗତ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ବଜେଟ୍ ସର୍ବାଧିକ ବୃଦ୍ଧି ପାଇଛି । ୨୦୧୪-୧୫ ଆର୍ଥିକ ବର୍ଷରେ ପ୍ରତିରକ୍ଷା ବଜେଟ୍ ୨.୨୯ ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୫-୨୬ ରେ ଏହା ୬.୮୧ ଲକ୍ଷ କୋଟି ଟଙ୍କାରେ ପହଂଚିଛି ।
ସେପଟେ ଯଦି ପାକିସ୍ତାନର ପ୍ରତିରକ୍ଷା ବଜେଟ୍ କଥା କହିବା ତେବେ ୨୦୨୩-୨୪ରେ ୧୮୦୪ କୋଟି ଟଙ୍କା ପାରିତ ହୋଇଥିବା ବେଳେ ୨୦୨୪-୨୫ ପାଇଁ ୨୧୨୨ କୋଟି ଟଙ୍କା ପାରିତ କରିଛି । ପାକିସ୍ତାନ ବିଶେଷ ଭାବେ ତାର ମୋଟ ବଜେଟରୁ ସର୍ବାଧିକ ଅଂଶ ଋଣ ବାବଦରେ ଦେଇଥାଏ । ଗତବର୍ଷ କେବଳ ଋଣ ବାବଦରେ ୯,୭୦୦ କୋଟି ଟଙ୍କା ଦେଇଛି ।
ପାକିସ୍ତାନ ପରେ ପଢ଼ିବା ଚୀନର ରକ୍ଷା ବଜେଟ୍ ବାବଦରେ । ଚଳିତ ବର୍ଷ ଚୀନ ଘୋଷଣା କରିଥିଲା କି, ତା’ର ପ୍ରତିରକ୍ଷା ବଜେଟ୍ରେ ୭.୨ ପ୍ରତିଶତ ବୃଦ୍ଧି କରିବ । ଏହି କ୍ରମରେ ଅନୁମାନ କରାଯାଉଛି କି, ଚୀନ ଚଳିତ ବର୍ଷ ପ୍ରତିରକ୍ଷା ବଜେଟ୍ ପାଇଁ ୨୪୯ ଆରବ ଡଲାର ମଞ୍ଜୁର କରିପାରେ ! ଚୀନ ଲଗାତାର ଭାବେ ଗତ ୧୦ ବର୍ଷ ହେବ ତା’ର ପ୍ରତିରକ୍ଷା ବଜେଟରେ ସର୍ବାଧିକ ବୃଦ୍ଧି କରିବାରେ ଲାଗିଛି । ଚୀନ୍ ତାର ଜିଡିପିର ୧.୫ ପ୍ରତିଶତ ଅର୍ଥ ପ୍ରତିରକ୍ଷାରେ ଖର୍ଚ୍ଚ କରୁଛି । ପ୍ରତିରକ୍ଷା ବଜେଟରେ ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ଦେଶ ତାଲିକାରେ ଆମେରିକା ପରେ ଚୀନ ରହିଛି ।
ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଥିବା ଦେଶମାନଙ୍କ ମଧ୍ୟରେ ଏବେ ବି ଆମେରିକା ସବୁଠାରୁ ଆଗରେ ରହିଛି । ୨୦୨୪ରେ ଆମେରିକାର ପ୍ରତିରକ୍ଷା ବଜେଟ ଆକାର ୮୯୫ ଆରବ ଡଲାର ଥିଲା । ଡୋନାଲ୍ଡ ଟ୍ରମ୍ପ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ପ୍ରତିରକ୍ଷା ବଜେଟକୁ ୧ ଟ୍ରିଲିୟନ ଡଲାର କରିବାକୁ ଘୋଷଣା କରିଛନ୍ତି । ଆମେରିକାର ପ୍ରତିରକ୍ଷା ବଜେଟ ଚୀନ, ଜର୍ମାନୀ, ଭାରତ, ବ୍ରିଟେନ୍, ସାଉଦି ଆରବ, ୟୁକ୍ରେନ୍, ଫ୍ରାନ୍ସ ଓ ଜାପାନର ମୋଟ ରକ୍ଷା ବଜେଟଠାରୁ ଅଧିକ । ଏହି ୯ଟି ଦେଶ ମିଶି ପ୍ରତିରକ୍ଷା ପାଇଁ ବାର୍ଷିକ ୯୮୪ ଆରବ ଡଲାର ଖର୍ଚ୍ଚ କରୁଥିବା ବେଳେ ଏକା ଆମେରିକା ୯୯୭ ଆରବ ଡଲାର ଖର୍ଚ୍ଚ କରୁଛି ।