ବିରୋଧୀ ମେଣ୍ଟ ଇଣ୍ଡି (Indian National Developmental Inclusive Alliance) ର ଭବିଷ୍ୟତକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି।
ଏହାର ମୁଖ୍ୟ କାରଣ ହେଉଛି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଏକ ବୟାନ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚିଦାମ୍ବରମ ଇଣ୍ଡି ମେଣ୍ଟର ସ୍ଥିରତା ଓ ଏକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ମେଣ୍ଟର ଭବିଷ୍ୟତ ଅନିଶ୍ଚିତ ଏବଂ ଏହା ଧୀରେ ଧୀରେ ଭାଙ୍ଗୁଛି।
ଏହା ସହିତ, ସେ ବିଜେପିର ସଂଗଠନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରରେ ଦିଆଯାଇଥିବା କଡ଼ା ଜବାବର ଖୋଲାଖୋଲି ପ୍ରଶଂସା କରିଛନ୍ତି। ଏହି ବୟାନ କଂଗ୍ରେସ ଓ ଇଣ୍ଡି ମେଣ୍ଟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହ ବିଜେପିକୁ ଆକ୍ରମଣର ସୁଯୋଗ ଦେଇଛି।
ଚିଦାମ୍ବରମଙ୍କ ବୟାନ: ଦିଲ୍ଲୀରେ ସଲମାନ ଖୁରଶିଦ ଓ ମୃତ୍ୟୁଞ୍ଜୟ ସିଂ ଯାଦବଙ୍କ ପୁସ୍ତକ ‘Contesting Democratic Deficit’ ଉନ୍ମୋଚନ କାର୍ଯ୍ୟକ୍ରମରେ ଚିଦାମ୍ବରମ ଇଣ୍ଡି ମେଣ୍ଟର ଭବିଷ୍ୟତକୁ ଅନିଶ୍ଚିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଇଣ୍ଡି ମେଣ୍ଟରେ ଦଳମାନଙ୍କ ମଧ୍ୟରେ ଏକତାର ଅଭାବ ଦେଖାଦେଇଛି ଏବଂ ଏହା ‘ଫାଟ ଫାଟ’ ହେଉଛି।
ଚିଦାମ୍ବରମ ସନ୍ଦେହ ପ୍ରକାଶ କରିଛନ୍ତି ଯେ ମେଣ୍ଟ ଏବେ ବି ସମ୍ପୂର୍ଣ୍ଣ ସ୍ଥିର ଅଛି କି ନାହିଁ। ସେ କହିଛନ୍ତି, “ଯଦି ମେଣ୍ଟ ସମ୍ପୂର୍ଣ୍ଣ ଅକ୍ଷୁଣ୍ଣ ଅଛି, ମୁଁ ବହୁତ ଖୁସି ହେବି, କିନ୍ତୁ ଏହା ଦୁର୍ବଳ ଦେଖାଯାଉଛି।” ତେବେ ସେ ଆଶା ପ୍ରକାଶ କରିଛନ୍ତି ଯେ ଏବେ ବି ସମୟ ଅଛି ଏବଂ ମେଣ୍ଟକୁ ଏକତ୍ର କରାଯାଇପାରିବ।
ଚିଦାମ୍ବରମ ବିଜେପିକୁ ଏକ ‘ଶକ୍ତିଶାଳୀ ସଂଗଠନ’ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, “ମୋ ଅଭିଜ୍ଞତା ଓ ଇତିହାସ ପଢିବା ଅନୁଯାୟୀ, ବିଜେପି ପରି ଶକ୍ତିଶାଳୀ ସଂଗଠିତ ରାଜନୈତିକ ଦଳ ଆଗରୁ କେବେ ହୋଇନାହିଁ।”
ବିଜେପି: ଏକ ଯନ୍ତ୍ର: ସେ ବିଜେପିକୁ କେବଳ ଏକ ରାଜନୈତିକ ଦଳ ନୁହେଁ, ବରଂ ‘ଯନ୍ତ୍ର ପଛରେ ଯନ୍ତ୍ର’ ବୋଲି କହିଛନ୍ତି, ଯାହା ନିର୍ବାଚନ ଆୟୋଗଠାରୁ ନେଇ ସ୍ଥାନୀୟ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରୁଛି।
ଚିଦାମ୍ବରମ ମୋଦୀ ସରକାରଙ୍କ ଅପରେସନ ସିନ୍ଦୂରକୁ ପ୍ରଶଂସା କରିଛନ୍ତି। ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଅବସ୍ଥାନକୁ ଧ୍ୱଂସ କରିଥିଲା। ସେ କହିଛନ୍ତି ଯେ ମୋଦୀ ସରକାର ଧୈର୍ଯ୍ୟ ଓ ସନ୍ତୁଳନ ସହ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି, ଯାହା ପ୍ରଶଂସନୀୟ।
ଚିଦାମ୍ବରମ ମୋଦୀଙ୍କ ନେତୃତ୍ବରେ ସରକାରର ବୁଦ୍ଧିମତା ଓ କାର୍ଯ୍ୟଦକ୍ଷତାକୁ ଖୋଲାଖୋଲି ସ୍ୱୀକାର କରିଛନ୍ତି। ଚିଦାମ୍ବରମଙ୍କ ବୟାନକୁ ନେଇ ବିଜେପି କଂଗ୍ରେସ ଓ ଇଣ୍ଡି ମେଣ୍ଟ ଉପରେ କଟାକ୍ଷ କରିଛି।
ଦୁର୍ବଳ ହେଉଛି ଇଣ୍ଡି ମେଣ୍ଟ । ବିରୋଧୀ ମେଣ୍ଟର ଭବିଷ୍ୟତ ଅନିଶ୍ଚିତତା ଭିତରେ ପଡିଲାଣି । ମେଣ୍ଟରେ ଦଳମାନଙ୍କ ମଧ୍ୟରେ ଏକତାର ଅଭାବ ଦେଖାଗଲାଣି । ମଜଭୁତ କିମ୍ବା ସ୍ଥିର ବି ନାହିଁ ଇଣ୍ଡି ମେଣ୍ଟ । ଧୀରେ ଧୀରେ ଏହା ଭାଙ୍ଗିବାରେ ଲାଗିଛି । ଅପରେସନ ସିନ୍ଦୂରକୁ ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ମେଂଟ ଭିତରେ ଥିବା ନେତାମାନେ ଏଭଳି କହିବା ଆରମ୍ଭ କଲେଣି ।
ବିଜେପି ସରକାର ପାକିସ୍ତାନକୁ ବଡ ଜବାବ ଦେବାରେ ସଫଳ ହୋଇଥିବା ଶଶୀ ଥରୁର ମଧ୍ୟ କହିଛନ୍ତି । ପୂର୍ବରୁ ଶଶୀ ଥରୁର ମୋଦୀ ସରକାରଙ୍କ ବିଦେଶୀ ନୀତିଠୁ ପ୍ରଶଂସା କରିବା ସହ ଅପରେସନ ସିନ୍ଦୁରର ସଫଳତା କହିଆସିଛନ୍ତି । ଏହାରି ଭିତରେ ବିରୋଧୀ ଇଣ୍ଡି ମେଂଟ ଏବେ କଣଠେସା ହୋଇଯାଇଛି ।