ଭୁବନେଶ୍ୱରସ୍ଥିତ ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ କିଛି ବର୍ଷ ଧରି ରାଜ୍ୟର ଜଣେ ଜଣେ ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ପ୍ରତିବର୍ଷ ମର୍ଯ୍ୟଦାଜନକ ‘ନାରଦ\’ ସମ୍ମାନ ପ୍ରଦାନ କରାଯାଇଆସୁଛି । ଏହି ପୁରସ୍କାର ଏଯାବତ୍ ଯେଉଁମାନେ ପାଇଛନ୍ତି ସେମାନେ ନିଜ ନିଜ କ୍ଷେତ୍ରରେ ନିଃସନ୍ଦେହରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ସେମାନଙ୍କର ପେଶାଦାରିତା ଓ ଉତ୍ସର୍ଗୀକୃତ ଅବଦାନ ଅନସ୍ୱୀକାର୍ଯ୍ୟ । ଏହି ପୁରସ୍କାର ପାଇଁ କେହି ଆବେଦନ କରନ୍ତି ନାହିଁ । ବିଶ୍ୱ ସମ୍ବାଦ କେନ୍ଦ୍ରର କର୍ମକର୍ତ୍ତାମାନେ ନିଜସ୍ୱ ପ୍ରୟାସରେ ରାଜ୍ୟର ଯୋଗ୍ୟ, ବରିଷ୍ଠ ସାମ୍ବାଦିକମାନଙ୍କର କାର୍ଯ୍ୟର ସମୀକ୍ଷା କରି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରନ୍ତି । ତା\’ପରେ ସେହି ତାଲିକାରୁ ଜଣଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ‘ନାରଦ\’ ସମ୍ମାନ ପ୍ରଦାନ କରାଯାଏ । ସେଥିପାଇଁ ଭୁବନେଶ୍ୱରରେ ଏକ ସଭା ହୁଏ ଏବଂ ଶେଷ ପର୍ଯ୍ୟନ୍ତ ସମ୍ପୃକ୍ତ ସାମ୍ବାଦିକଙ୍କ ନାମକୁ ସାର୍ବଜନୀନ କରା ନ ଯାଇ ଗୁପ୍ତ ରଖାଯାଇଥାଏ । ଏହି ସାମ୍ବାଦିକକୁ କେଇ ବର୍ଷ ତଳେ ‘ନାରଦ ସମ୍ମାନ ପ୍ରଦାନ କରାଯାଇଥିଲା । ମୁଁ ଏହି ମନୋନୟନ ପ୍ରକ୍ରିୟା ବିଷୟରେ କର୍ମକର୍ତ୍ତାଙ୍କୁ ପଚାରିବାରୁ ସେମାନେ କହିଲେ ଯେ ବୃତ୍ତି ପ୍ରତି ସମର୍ପିତ ଏବଂ ସମାଜ ଓ ରାଷ୍ଟ୍ରର କଲ୍ୟାଣ କଳ୍ପେ କାମ କରି ଆସୁଥିବା ପ୍ରବୀଣ ସାମ୍ବାଦିକମାନଙ୍କୁ ସଙ୍ଗଠନ ପକ୍ଷରୁ ମନୋନୀତ କରାଯାଏ । ଏହି ମନୋନୟନରେ ସମ୍ପୃକ୍ତ ସାମ୍ବାଦିକଙ୍କ ବ୍ୟକ୍ତିଗତ ରାଜନୀତିକ ବିଚାରକୁ ଗୁରୁତ୍ୱ ଦିଆଯାଏ ନାହିଁ କିମ୍ବା ତାଙ୍କଠାରୁ ବିଶ୍ୱ ସମ୍ବାଦ ସଂସ୍ଥା ଓ ଏହାର ପୃଷ୍ଠପୋଷକ କୌଣସି ପ୍ରତ୍ୟାଶା ରଖନ୍ତି ନାହିଁ ।
ଶୁଣିଥିଲି, ଥରେ ଜଣେ ବରିଷ୍ଠ ସାମ୍ବାଦିକ ‘ନାରଦ\’ ସମ୍ମାନରେ ସମ୍ମାନିତ ହେବାର ବହୁଦିନ ପରେ ହଠାତ୍ ବିଶ୍ୱ ସମ୍ବାଦ କେନ୍ଦ୍ରକୁ ଏକ ଦକ୍ଷିଣପନ୍ଥୀ ସଙ୍ଗଠନ କହି ସେହି ପୁରସ୍କାର ଫେରାଇ ଦେଇଥିଲେ । କେଉଁ ପରିସ୍ଥିତିରେ ଓ କାହିଁକି ସେ ଏଭଳି କଲେ ତାହାର କାରଣ ମୋତେ ଜଣାନାହିଁ । ମୋ ଜାଣିବାରେ ରାଜ୍ୟର ଯେତେ ପ୍ରତିଷ୍ଠିତ ସାମ୍ବାଦିକ ଏହି ସମ୍ମାନ ଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାଧୀନଚେତା, ବାମ, ଦକ୍ଷିଣ କିମ୍ବା କେନ୍ଦ୍ରପନ୍ଥୀ ବିଚାରରୁ ଉର୍ଦ୍ଧ୍ୱରେ । ଆହୁରି ମଧ୍ୟ ମୁଁ ଦେଖୁଛି ଯେ ବିଶ୍ୱ ସମ୍ବାଦ କେନ୍ଦ୍ରର ସେମିତି କୌଣସି ଦକ୍ଷିଣପନ୍ଥୀ ବା ସାମ୍ପ୍ରଦାୟିକ କାର୍ଯ୍ୟସୂଚୀ ନାହିଁ । ସେମାନେ ନିରପେକ୍ଷତା, ସମାଜ ଗଠନ ଓ ଲୋକ କଲ୍ୟାଣରେ ସାମ୍ବାଦିକତାର ଅବଦାନକୁ ଗୁରୁତ୍ୱ ଦିଅନ୍ତି ।
‘ନାରଦ\’ଙ୍କ ନାମରେ ସାମ୍ବାଦିକଙ୍କୁ ସମ୍ମାନିତ କରିବାର ଯଥାର୍ଥତାକୁ ଅନେକ ପ୍ରଶ୍ନ କରନ୍ତି । ଆମ ଶାସ୍ତ୍ର ପୁରାଣରେ ଦୁଇଟି ଚରିତ୍ର ନାରଦ ଓ ସଞ୍ଜୟଙ୍କୁ ବାର୍ତ୍ତାକାର ବା ସାମ୍ବାଦିକ ଭାବେ ବିବେଚନା କରାଯାଏ । ସଞ୍ଜୟଙ୍କର ଦିବ୍ୟ ଦୃଷ୍ଟି ଥିଲା । ତେଣୁ ସେ ମହାଭାରତ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ନ ରହି ମଧ୍ୟ କୁରୁ-ପାଣ୍ଡବ ଯୁଦ୍ଧର ପ୍ରତ୍ୟେକ ଘଟଣା ନିଜର ଦିବ୍ୟଚକ୍ଷୁରେ ଦେଖି ନେତ୍ରହୀନ ଧୃତରାଷ୍ଟ୍ରଙ୍କୁ ପ୍ରତ୍ୟକ୍ଷ ଧାରା ବିବରଣୀ ଦେଉଥିଲେ । ସେ ବାସ୍ତବରେ ଥିଲେ ଜଣେ ରାଜକୀୟ ଅଭିଲେଖନକାରୀ ବା ରୟାଲ କ୍ରନିକଲର୍ ।
ଅପରପକ୍ଷରେ ନାରଦ ବା ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର । ସେ ଏକଧାରରେ ଜଣେ ଦିବ୍ୟ ସାଧୁ, ବାର୍ତ୍ତାବହ, ପରିବ୍ରାଜକ- ଯାହାଙ୍କୁ ଅନେକ ‘କଳିହା\’ ବୋଲି କହିଥାନ୍ତି । ସେ ତିନିଲୋକ ପରିଭ୍ରମଣ କରି ଖବର ଓ ଜ୍ଞାନ ବିତରଣ ପାଇଁ ପରିଚିତ । ଦେବ-ମାନବଙ୍କ ମଧ୍ୟରେ ସେ ଥିଲେ ବାର୍ତ୍ତାବହ ଓ ସଂଯୋଜନକାରୀ । ସେ ଯେଉଁ ଖବର ଅନ୍ୟକୁ ଦେଉଥିଲେ ତାହା ଜଟିଳ ମନେ ହେଉଥିଲେ ମଧ୍ୟ ସେଥିରେ ରହୁଥିଲା ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ଅନ୍ତର୍ନିହିତ ଅର୍ଥ । ଯିଏ ନିରନ୍ତର ଯାତ୍ରା ନ କରେ ଓ ପାଞ୍ଚଲୋକଙ୍କ ସହ ନ ମିଶେ ତା\’ ପାଖରେ ଦେଶ ଦୁନିଆର ଖବର ରହିବା ସମ୍ଭବ ନୁହେଁ । ନାରଦ ଥିଲେ ନିତ୍ୟଜୀବୀ । ତାଙ୍କର ଭ୍ରମଣ ଥିଲା ଶାଶ୍ୱତ । ତେଣୁ ସେ ଅନେକ ଖବର ରଖୁଥିଲେ ଏବଂ ଯାହା ବ୍ୟକ୍ତି, ସମାଜ, ଅନୁଷ୍ଠାନ ଓ ଦେଶ ଦଶ ପାଇଁ ଜରୁରୀ ତାହା ପ୍ରଘଟ କରୁଥିଲେ । ଏଥିରେ କାହାର ଅମଙ୍ଗଳ କରିବା ବା ନାଟ ଲଗାଇବା ତାଙ୍କ ଉଦ୍ଦେଶ୍ୟ ନଥିଲା । କେବଳ ହିନ୍ଦୁ ଧର୍ମ ନୁହେଁ, ଜୈନ ଓ ବୌଦ୍ଧ ଧର୍ମରେ ମଧ୍ୟ ନାରଦଙ୍କ ଉଲ୍ଲେଖ ଅଛି ତାଙ୍କର ବିଶେଷ ଗୁଣ ପାଇଁ । ବୌଦ୍ଧ ଧର୍ମରେ ତାଙ୍କୁ ସାରିପୁତ୍ତଙ୍କ ପୂର୍ବଜନ୍ମର ଚରିତ୍ର ସହିତ ତୁଳନା କରାଯାଏ ।
ନାର+ଧର୍ମୋ ଇତି ନାରଦ । ଯିଏ ନରଧର୍ମ ପାଳନ କରେ, ନିୟମ, ନ୍ୟାୟ, ଧର୍ମ ଓ ସତ୍ୟର କଥା କୁହେଁ, ଅସତ୍ୟ, ଅନୀତିର କଥା ସର୍ବସାଧାରଣରେ ପ୍ରକାଶ କରେ ସେ ନାରଦ । ତେଣୁ ପ୍ରକୃତ ସାମ୍ବାଦିକ ସେହିଭଳି ହେବା ଉଚିତ । ବିଶ୍ୱ ସମ୍ବାଦ କେନ୍ଦ୍ରର ଏହି ଉଦ୍ୟମ ପ୍ରଶଂସନୀୟ । ଆୟୋଜକମାନଙ୍କୁ ମୁଁ ଏଥିପାଇଁ ଅଭିନନ୍ଦନ ଜଣାଉଛି । ସାମ୍ବାଦିକତା ବୃତ୍ତିିରେ ନୀତି ନୌତିକତା ରକ୍ଷାକୁ ଏହା ନିଶ୍ଚିତ ଉତ୍ସାହିତ କରିବ ।