ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ଚଳିତ ମାସ ୭ ତାରିଖରେ ଆରମ୍ଭ କରିଥିବା ‘ଅପରେସନ୍ ସିନ୍ଦୁର’ ବନ୍ଦ ହୋଇନାହିଁ । ଏହା ଚାଲୁ ରହିଥିବା ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରି ଏକ ଐତିହାସିକ ସଫଳତା ହାସଲ କରିଛି ସେନା।
ଭାରତୀୟ ସେନା କହିବା ଅନୁସାରେ ଏହି ଅଭିଯାନରେ ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନାର ମିଳିତ ପ୍ରୟାସରେ ୯ଟି ଆତଙ୍କବାଦୀ ଶିବିର ନଷ୍ଟ କରାଯାଇଛି ଏବଂ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ଏହି ଅଭିଯାନରେ ପାକିସ୍ତାନ ସେନାର ୩୫-୪୦ ଜଣ ସୈନିକ ମଧ୍ୟ ନିହତ ହୋଇଛନ୍ତି, ଯଦିଓ ଭାରତର ୫ ଜଣ ବୀର ଯବାନ ବୀରଗତି ପ୍ରାପ୍ତ ହୋଇଛନ୍ତି।
ଅପରେସନ୍ ସିନ୍ଦୁରର ବିସ୍ତୃତ ତଥ୍ୟ
ରବିବାର (୧୧ ମେ’ ୨୦୨୫) ସନ୍ଧ୍ୟାରେ ଭାରତୀୟ ସେନାର ତିନି ବାହିନୀ ପକ୍ଷରୁ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ‘ଅପରେସନ୍ ସିନ୍ଦୁର’ର ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇଛି। ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘୈ କହିଛନ୍ତି ଯେ, ଭାରତୀୟ ଗୁଇନ୍ଦା ସଂସ୍ଥା ପାକିସ୍ତାନର ପଞ୍ଜାବ ଓ ପିଓକେରେ ୯ଟି ଆତଙ୍କବାଦୀ ଶିବିର ଚିହ୍ନଟ କରିଥିଲା। ଏଗୁଡ଼ିକ ମଧ୍ୟରେ ମୁରିଦକେରେ ଲସ୍କର-ଏ-ତୋଇବାର ଏକ ଶିବିର ରହିଥିଲା, ଯେଉଁଠାରେ କୁଖ୍ୟାତ ଆତଙ୍କବାଦୀ ଆଜମଲ କସାବ ଓ ଡେଭିଡ୍ ହେଡ୍ଲିଙ୍କୁ ତାଲିମ ଦିଆଯାଇଥିଲା।
ଏହି ଅଭିଯାନରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବାର ବଡ଼ ନେତା ଯୁସୁଫ ଅଜହର, ଅବଦୁଲ ମଲିକ ରଉଫ ଓ ମୁଦାସିର ଅହମଦଙ୍କ ସମେତ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଆଇସି-୮୧୪ କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆକ୍ରମଣରେ ସାମିଲ ଥିଲେ।
ପାକିସ୍ତାନର ଆତଙ୍କବାଦୀ ଭିତ୍ତିଭୂମି ଧ୍ୱଂସ
ଅପରେସନ୍ ସିନ୍ଦୁର ଅଧୀନରେ ଭାରତୀୟ ସେନା ପାକିସ୍ତାନର ୱେଷ୍ଟର୍ଣ୍ଣ ଫ୍ରଣ୍ଟ୍ରେ ଆକ୍ରମଣ କରି ଏଫ୍-୧୬ ବିମାନଘାଟି, ତାଲିମ କେନ୍ଦ୍ର, ପ୍ରତିରକ୍ଷା ୟୁନିଟ୍ ଓ କମାଣ୍ଡ ହବ୍କୁ ସଫଳତାର ସହ ନଷ୍ଟ କରିଛି। ଲାହୋର, ଗୁଜରାନୱାଲା, ଚକଲା, ରାଫିକ୍, ରହିମ ୟାର ଖାନ୍, ସରଗୋଧା, ଭୁଲାରି ଓ ଜାକବାବାଦରେ ଥିବା ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଛି। ଏୟାର ମାର୍ଶାଲ ଅବଧେଶ କୁମାର ଭାରତୀ ସାମ୍ବାଦିକ ସମ୍ମିଳନୀରେ ବାହାବଳପୁର ଆତଙ୍କବାଦୀ ଶିବିର ଉପରେ ମିସାଇଲ ହମଲାର ଭିଡିଓ ପ୍ରଦର୍ଶନ କରି ଏହାର ସଫଳତା ପ୍ରମାଣ କରିଥିଲେ।
ପାକିସ୍ତାନର ଡ୍ରୋନ ହମଲା ବିଫଳ
ପାକିସ୍ତାନ ସିଭିଲିୟନ ବିମାନର ଆଡ଼ରେ ଡ୍ରୋନ ଓ ଅଣମାନବ ବିମାନ (ୟୁଏଭି) ମାଧ୍ୟମରେ ଭାରତୀୟ ସହର ଓ ସୈନ୍ୟ ଅଡ୍ଡାକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ୮-୯ ମେ’ ରାତିରେ ଲାହୋର ଓ ଗୁଜରାନୱାଲାରୁ ପଠାଯାଇଥିବା ଡ୍ରୋନ ଓ କ୍ୱାଡକପ୍ଟରଗୁଡ଼ିକ ଶ୍ରୀନଗରଠାରୁ ଗୁଜରାଟର ନଲିୟା ପର୍ଯ୍ୟନ୍ତ ନିରୀକ୍ଷଣ ଓ ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭାରତୀୟ ବାୟୁସେନାର ସତର୍କତା ଓ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗୁଁ ଏହି ସମସ୍ତ ହମଲା ବିଫଳ ହୋଇଥିଲା। ଏୟାର ମାର୍ଶାଲ ଭାରତୀ କହିଛନ୍ତି, “ଆମେ ପୂରା ପ୍ରସ୍ତୁତ ଥିଲୁ। ଆମର ସତର୍କତା ଯୋଗୁଁ ପାକିସ୍ତାନ କୌଣସି କ୍ଷତି କରିପାରିନଥିଲା।”
ନୌସେନାର ପ୍ରସ୍ତୁତି
ଭାଇସ୍ ଆଡମିରାଲ ଏଏନ୍ ପ୍ରମୋଦ କହିଛନ୍ତି ଯେ, ପହେଲଗାମ ହମଲାର ୯୬ ଘଣ୍ଟା ମଧ୍ୟରେ ଭାରତୀୟ ନୌସେନା ଉତ୍ତର ଆରବ ସାଗରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା। କରାଚୀ ବନ୍ଦରକୁ ଟାର୍ଗେଟ କରିବା ପାଇଁ ନୌସେନା ପ୍ରସ୍ତୁତ ଥିଲା ଏବଂ ପାକିସ୍ତାନର ଯେକୌଣସି ଆକ୍ରମଣର ଜବାବ ଦେବାକୁ ଏବେ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଯଦି ପାକିସ୍ତାନ ପୁଣି ଭୁଲ କରେ ତେବେ ପାକିସ୍ତାନ ଉପରେ ପ୍ରବଳ ଶକ୍ତିରେ ଲଢ଼ାଯିବ ବୋଲି ସେନା କହିଛି ।