ଓଡ଼ିଶା, ଏକ ସମୃଦ୍ଧ ସାଂସ୍କୃତିକ ଓ ଐତିହ୍ୟମୟ ରାଜ୍ୟ । ଯେଉଁଠି ପ୍ରତିଟି ତିଥି ଓ ଉତ୍ସବ ସହ କୌଣସି ନ କୌଣସି ଧାର୍ମିକ ଭାବନା ଜଡିତ ଅଛି। ଏମିତି ଏକ ଶୁଭ ତିଥି ହେଉଛି ଅକ୍ଷୟ ତୃତୀୟା, ଯାହାକୁ ଓଡ଼ିଶାରେ ପବିତ୍ର ତିଥି ଭାବରେ ଦେଖାଯାଏ।
ଏହି ଦିନରେ ଆମ ଚାଷୀ ଭାଇମାନେ ଧାନ ଚାଷ ଆରମ୍ଭ କରନ୍ତି ଓ ଏହି ପ୍ରଥାକୁ ଆମ ଓଡ଼ିଆ ଭାଷାରେ “ଅଖିମୁଠି ଅନୁକୂଳ” ବୋଲି କୁହାଯାଏ। ଆହୁରି ମଧ୍ୟ ଅକ୍ଷୟ ତୃତୀୟା ଦିନ ରାବଣ ବଧ ପାଇଁ ଶ୍ରୀରାମଙ୍କ ଅସ୍ତ୍ର ସାଧନା କରିଥିଲେ ବୋଲି ପୁରାଣ କହେ।
ଏହି ଦିନ ବ୍ରହ୍ମା ଏବଂ ବେଦ ବ୍ୟାସଙ୍କ ଜନ୍ମ ଦିନ ଭାବେ ବି ମନାଯାଏ। ଏହି ତିଥି ର ଅର୍ଥ ଅକ୍ଷୟ ମାନେ ଅବିନାଶୀ ଫଳଦାୟକ ବୋଲି କୁହାଯାଏ। ଏହିଦିନ ଯେ କୌଣସି ମଙ୍ଗଳ କାର୍ଯ୍ୟ କଲେ, ତାହା ଅନନ୍ତ ଫଳ ଦିଏ ବୋଲି ବିଶ୍ୱାସ କରାଯାଏ।
ଓଡ଼ିଶାର ଅନେକ ଅଞ୍ଚଳରେ ଏହି ଦିନକୁ ଧାନ ଚାଷର ଆରମ୍ଭ ରୂପେ ପାଳନ କରାଯାଏ। ଚାଷୀମାନେ ଘରର ଠାକୁର ଘରେ ଗୋଟିଏ ମୁଠି ଧାନ ରଖି ତାହାକୁ ତୀର୍ଥ ଜଳ, ଫୁଲ ଦ୍ୱାରା ପୂଜା କରନ୍ତି। ଏହା ପରେ ସେମାନେ ଏହି ଧାନକୁ ଖେତକୁ ନେଇ ଏକ ଛୋଟ ଅଞ୍ଚଳରେ ଚାଷ କରିବା ଆରମ୍ଭ କରନ୍ତି। ଏହି କ୍ରିୟାକଳାପକୁ “ଅଖିମୁଠି ଅନୁକୂଳ” ବୋଲି କୁହାଯାଏ।
ଅଖିମୁଠି ଅନୁକୂଳ ଏକ ସାଂସ୍କୃତିକ ଓ ଧାର୍ମିକ ଚିହ୍ନ ଭାବରେ ଆମ ଗାଁ ଗାଁରେ ପ୍ରଚଳିତ ଅଛି । ଏହି ପ୍ରଥା ଚାଷୀଙ୍କୁ ଧର୍ମ, ଆଶା ଓ ପ୍ରତିଶ୍ରୁତିର ସୂତ୍ର ଦେଇଥାଏ।
ତେଣୁ ଏହି ଦିନ ଧାନ ଉତ୍ପାଦନ ଆରମ୍ଭ ଦିନ ବୋଲି ଆମେ କହିପାରିବ। ଚାଷୀମାନେ ଏହାକୁ ଗଭୀର ଶ୍ରଦ୍ଧା ଓ ଆନନ୍ଦ ମନରେ କରନ୍ତି। ଚାଷ କରିବା ପାଇଁ ଚାଷୀ ଏହି ଦିନକୁ ଅପେକ୍ଷା କରିଥାଏ । ନୂଆ ଲୁଗା ସହ ନୂଆ ଚାଷ ଉପକରଣ ନେଇ ଚାଷୀ ବିଲକୁ ଯାଇଥାଏ ।
ଏହି ଦିନ ଏକାଧିକ ଗାଁରେ ଉତ୍ସବ ଭାବରେ ପାଳନ କରାଯାଏ। ମଣ୍ଡପ ତିଆରି, ସାମୂହିକ ପୂଜା, ଅନ୍ନଦାନ, ଧାନ ବିତରଣ ଓ କୃଷି ଉତ୍ସବ ପରି ଅନେକ କାର୍ଯ୍ୟକ୍ରମ ହୁଏ। ଏହି ସମୟରେ କୃଷି ବିଭାଗ ବି ଅନେକ ସଚେତନତା କାର୍ଯ୍ୟକ୍ରମ ଚାଲାନ୍ତି।
ଅକ୍ଷୟ ତୃତୀୟା ଓ ଅଖିମୁଠି ଅନୁକୂଳ ଓଡ଼ିଆ କୃଷି ସଂସ୍କୃତିର ଏକ ଅଟୁଟ ଅଂଶ। ଏହା ଚାଷୀଙ୍କ ଜୀବନ ଓ ଭବିଷ୍ୟତ ଉପରେ ଆଧାରିତ ଏକ ଶୁଭ ଆରମ୍ଭ ଯାତ୍ରା। ଏହି ଐତିହ୍ୟ ଓ ସଂସ୍କୃତିକୁ ରକ୍ଷା କରିବା ଆମ ଦାୟିତ୍ୱ।
ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀଙ୍କ ମାନସିକ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ, ସମନ୍ୱିତ କୃଷି କାର୍ଯ୍ୟକ୍ରମ, ଶ୍ରୀଅନ୍ନ ଅଭିଯାନ ଭଳି ଯୋଜନା ରାଜ୍ୟରେ ଚାଷୀଙ୍କୁ ଅନେକ ସାହାର୍ଯ୍ୟ କରୁଛି ।
ମୁଖ୍ୟମନ୍ତ୍ରୀ ସି.ଏମ୍ କିଷାନ ଯୋଜନାରେ ଏବେ ପର୍ଯ୍ୟନ୍ତ ୫୦,୧୬,୯୩୮ ଜଣ ଛୋଟ ଓ ନାମମାତ୍ର ଚାଷୀ, ୪୯,୪୮୨ ଜଣ ଭୂମିହୀନ କୃଷି ପରିବାର ଓ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ଋତୁ ପାଇଁ ୧୦୨୫ କୋଟି ଟଙ୍କାର ସହାୟତା ଦିଆଯାଇଛି। ସମୁଦାୟ ୫୧ ଲକ୍ଷ ଚାଷୀ ଏହି ଅନୁଦାନରୁ ଲାଭାନ୍ବିତ ହୋଇଛନ୍ତି।
, ସ୍ୱାଧୀନତା ସମୟରେ ଭାରତ ଖାଦ୍ୟ ଉତ୍ପାଦନରେ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲେ, କିନ୍ତୁ ବର୍ତ୍ତମାନ ଦେଶ ନ କେବଳ ଖାଦ୍ୟରେ ସ୍ୱାବଲମ୍ବୀ, ବରଂ ରପ୍ତାନୀ ମଧ୍ୟ କରୁଛି। ୨୦୧୪ ଠାରୁ ଦେଶରେ ନୂଆ କୃଷି ନୀତି ଓ ଯୋଜନା ମାଧ୍ୟମରେ ଚାଷୀଙ୍କ ଉନ୍ନତି ପାଇଁ ଗୁରୁତ୍ୱ ଦିଆଯାଉଛି।
ଓଡ଼ିଶାର ୬୦% ଅଧିକ ଲୋକ କୃଷି ଉପରେ ନିର୍ଭର ଥିବା ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୨୨% ଅଭିବୃଦ୍ଧି ଏହି କ୍ଷେତ୍ରରୁ ଆସିଛି। ଚାଷୀଙ୍କ କଠିନ ପରିଶ୍ରମକୁ ସ୍ୱୀକାର କରି ସେ ଶସ୍ୟ ନିଅଣ୍ଟିଆ ରାଜ୍ୟରୁ ଶସ୍ୟ ବଳକା ରାଜ୍ୟରେ ପରିଣତ ହୋଇଥିବା ଘଟଣାକୁ ଗୌରବର ସୂଚକ ବୋଲି କହିଛନ୍ତି। ସେ ଚାଷୀଙ୍କୁ ଜଳବାୟୁ ଅନୁକୂଳ ଚାଷ ଆପଣାଇବାକୁ ପରାମର୍ଶ ଦେଇଛନ୍ତି।
ଆଗାମୀ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଶୀତଳ ଭଣ୍ଡାର, ପ୍ରାଣୀପାଳନ, ମାଛ ଚାଷ, କୁକୁଡା ଓ ବତକ ଚାଷ ପାଇଁ ରିହାତି ସହିତ ସହାୟତା ମିଳିବ।
ଉପମୁଖ୍ୟମନ୍ତ୍ରୀ ଏବଂ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଚାଷୀ ମାନେ ଯାହା ଉତ୍ପାଦନ କରନ୍ତି ଆମେ ତାହା ଖାଉଛୁ। ସେମାନଙ୍କ ଉତ୍ପାଦନକୁ ମାର୍କେଟ୍ ଯୋଗାଇଦେବା ଓ ଉଚିତ ମୂଲ୍ୟ ଦେବାକୁ ସରକାର ଚେଷ୍ଟା କରୁଛି। ରାଜ୍ୟର ଚାଷୀ ଉନ୍ନତି କରିବେ ତେବେ ରାଜ୍ୟ ଉନ୍ନତି କରିବ, ଏହି ଆଶା ସହିତ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।