ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲ୍ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭୧ ଜଣ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ସମ୍ମାନ ପ୍ରଦାନ କରିଛନ୍ତି। ୭୬ତମ ସାଧାରଣତନ୍ତ୍ର ଦିବସର ପୂର୍ବ ରାତ୍ରିରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ପାଇଁ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧୀ ହାସଲ କରିଥିବା ୧୩୯ ଜଣଙ୍କ ନାମକୁ ଘୋଷଣା କରାଯାଇଥିଲା।
ଏହି ଅବସରରେ ରାଷ୍ଟ୍ରପତି ଓଡ଼ିଶାର ଅଶୋକ କୁମାର ମହାପାତ୍ର, ଅଦ୍ୱୈତ ଚରଣ ଗଡ଼ନାୟକ ଏବଂ ଦୁର୍ଗା ଚରଣ ରଣବୀରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଚିକିତ୍ସା କ୍ଷେତ୍ରରେ ନିଜ ଅବଦାନ ପାଇଁ ଅଶୋକ କୁମାର ମହାପାତ୍ର ଏବଂ କଳା କ୍ଷେତ୍ରରେ ଅଦ୍ୱୈତ ଚରଣ ଗଡ଼ନାୟକ ଓ ଦୁର୍ଗା ଚରଣ ରଣବୀରଙ୍କୁ ସମ୍ମାନିତ କରାଯାଇଛି।