ପହେଲଗାମ ବିଷୟରେ ଆପଣମାନେ କିଛି ଦିନ ହେଲା ନିଶ୍ଚୟ ଆଲୋଚନା କରୁଥିବେ । କାହିଁକି ଆତଙ୍କବାଦୀମାନେ ଏହି ଅଂଚଳରେ ପର୍ଯ୍ୟଟକଙ୍କୁ ହତ୍ୟା କଲେ ତାହା ମଧ୍ୟ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ । ଏହି ସୁନ୍ଦର ଐତିହାସିକ ସ୍ଥାନର ବର୍ଣ୍ଣନା ଅନେକ କବି, ପର୍ଯ୍ୟଟକ ଅନେକବାର କରିଛନ୍ତି । ଅମରନାଥ ଯାତ୍ରାବେଳେ ଏହାର ସୈାନ୍ଦର୍ଯ୍ୟକୁ ନେଇ ଅନେମ ଲେଖା ଗଣମାଧ୍ୟମରେ ପ୍ରସାରିତ ହୁଏ ।
ତେବେ ଗତ ସପ୍ତାହରେ ଆତଙ୍କବାଦୀମାନେ ଯେଭଳି ଏହି ଅଂଚଳକୁ ରକ୍ତରଂଜିତ କଲେ ତାହାକୁ ଯେତେ ନିନ୍ଦା କଲେ କମ ହେବ । ଯେଉଁ ପହଲଗାମର ନାମକୁ ନେଇ ଆଜି ସାରା ବିଶ୍ବରେ ଆଲୋଚନା ହେଉଛି । ଆଜି ଯେଉଁଠି ଆତଙ୍କବାଦୀମାନେ ରକ୍ତମୁଖା ହୋଇ ସରଳ,ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି । ତଥାପି ଏହି ପବିତ୍ର ଭୂମିର ଆତ୍ମାରେ ଅଛି ଅଦୃଶ୍ୟ ଶିବତ୍ୱର ଏକ ଐତିହାସିକ କାହାଣୀ ।
ଏଠକାର ଆକାଶ, ପାଣି, ପବନ, ମାଟି ଓ ପ୍ରତ୍ୟେକ ଧାରା ଶିବଙ୍କ ନାମରେ ଗୁଞ୍ଜରଣ ହେଉଛି । ଏହି ଅଂଚଳର ବୈଶିଷ୍ଠ୍ୟ, ସୈାନ୍ଦର୍ଯ୍ୟ ଶହ ଶହ ବର୍ଷ ହେଲା ଗାୟନ କରାଯାଉଛି । ପହଲଗାମ ନାମ ଏବେ ଶୁଣିଲେ ଭୟର ଏକ ଦୃଶ୍ୟ ସାମ୍ନାକୁ ଆସିଯାଉଛି । ୨୨ ଏପ୍ରିଲ, ୨୦୨୫ ଦିନ ଘଟିଥିବା ଘଟଣା ମନେ ପକାଇଲେ ରକ୍ତ ଫୁଟି ଗରମ ହୋଇଯାଉଛି ।
ଅନନ୍ତନାଗ ଜିଲ୍ଲାର ଏହି ଉପତ୍ୟାକା ଅଞ୍ଚଳରେ ସେଦିନ ଆତଙ୍କବାଦୀମାନେ ଖେଳିଯାଇଥିବା ରକ୍ତାକ୍ତ ଖେଳକୁ ପ୍ରତ୍ୟେକ ହିନ୍ଦୁ ନିଜର ବ୍ୟକ୍ତିଗତ କ୍ଷତି ଭାବରେ ବିବେଚନା କରୁଛନ୍ତି। କାରଣ – ସେଦିନ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଥିଲା, ସେମାନଙ୍କର ପ୍ୟାଣ୍ଟ ଖୋଲାଯାଇଥିଲା ଯେ ସେମାନେ ହିନ୍ଦୁ କି ନାହିଁ ତାହା ଯାଞ୍ଚ କରାଯାଇଥିଲା।
ଯେଉଁମାନେ କଲମା ପାଠ କରିପାରିନଥିଲେ ସେମାନଙ୍କୁ ହତ୍ୟା କରାଯାଇଥିଲା। ଯେଉଁମାନଙ୍କର ପରିଚୟପତ୍ରରେ ମୁସଲମାନ ନାମ ନଥିଲା, ସେମାନଙ୍କୁ ହତ୍ୟା କରାଯାଇଥିଲା। ଗୋଟିଏ ପରେ ଗୋଟିଏ ୨୮ଟି ମୃତଦେହ ପଡ଼ିଗଲା। ମହିଳାମାନଙ୍କୁ ଏକା ଛାଡି ଦିଆଯାଇଥିଲା, ସେମାନଙ୍କୁ ମୋଦୀଙ୍କୁ ଯାଇ କହିବାକୁ କୁହାଯାଇଥିଲା।
ପହଲଗାମର ଅନେକ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କୁ ଘୋଡା ଚଢ଼ିବାକୁ ନେଉଥିବା ଲୋକମାନେ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି। ଏହି ଘଟଣା ବିଷୟରେ ଶୁଣିବା ପରେ ଯଦି ଆପଣଙ୍କର ମତ ହେବ ଯେ ପହଲଗାମ ଏକ ଇସଲାମିକ୍ ଅଞ୍ଚଳ, ତେବେ ଆପଣ ଭୁଲ କରୁଛନ୍ତି। ଯଦିଓ ଆଜି ପହଲଗାମରେ 81% ମୁସଲମାନ ଅଛନ୍ତି ଏବଂ ହିନ୍ଦୁଙ୍କ ଜନସଂଖ୍ୟା କେବଳ 17% ମଧ୍ୟରେ ସୀମିତ, ପହଲଗାମର ପ୍ରତ୍ୟେକ କଣିକାରେ ଶିବତ୍ୱ ବାସ କରନ୍ତି। ତାହା ଇତିହାସକୁ ଦେଖିଲେ ବୁଝାପଡ଼େ ।
ଅମରନାଥ ଧାମ: ଶିବ ଓ ପାର୍ବତୀଙ୍କର ଅମରତ୍ୱ କଥା
ଅମରନାଥ ଗୁଫା ଏକ ପବିତ୍ର ସ୍ଥଳ ଯେଉଁଠି ଭଗବାନ ଶିବ ମା ପାର୍ବତୀଙ୍କୁ ଅମରତ୍ୱର ଗୁପ୍ତ ରହସ୍ୟ କହିଥିଲେ। ଏହି ଯାତ୍ରା ପଥରେ ପହେଲଗାମରୁ ପିସ୍ସୁ ଘାଟି, ଶେଷନାଗ ଓ ପଞ୍ଚତରଣୀ ହୋଇ ଶେଷରେ ଅମରନାଥ ଧାମକୁ ପହଁଚିବାକୁ ପଡ଼େ। ତେଣୁ ପ୍ରଥମେ ବାହାରୁ ଆସୁଥିବା ଯାତ୍ରୀମାନେ ପହଲଗାମରେ ବିଶ୍ରାମ ନେଇଥାନ୍ତି । ଏଠାରେ ଅନେକ ପିକନିକ ସ୍ଥାନ ରହିଛି । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଏଠାରେ ରହି ଆନନ୍ଦ ଉପଭୋଗ କରିଥାନ୍ତି ।
ପହେଲଗାମ ବା ‘ବୈଲଗାମ’: ଶିବଙ୍କର ପଦଚିହ୍ନ
ବୈଲଗାମ’ ବୋଲି ଡାକାଯାଉଥିଲା
ପହେଲଗାମକୁ ପ୍ରଥମେ ‘ବୈଲଗାମ’ ବୋଲି ଡାକାଯାଉଥିଲା, କାରଣ ଏଠି ଭଗବାନ ଶିବ ତାଙ୍କ ପ୍ରିୟ ବୈଲ୍ ନନ୍ଦୀକୁ ଛାଡି ତପସ୍ୟା ପାଇଁ ଯାଉଥିଲେ। ଏହି ଅଞ୍ଚଳର ଏତିହାସିକ ଓ ଧାର୍ମିକ ମୂଲ୍ୟ ବୁଝିବାକୁ ଯଦି ଆଜି ଆପଣ ପହେଲଗାମକୁ ଯିବେ, ଏଠିର ପ୍ରତ୍ୟେକ ଦୃଶ୍ୟ, ପ୍ରତ୍ୟେକ ଧାରା ଓ ପ୍ରତ୍ୟେକ ପବନ ପ୍ରବାହ ଆପଣଙ୍କୁ କୁହିଦେବ: “ଏଠି ଆଜି ବି ଶିବ ହସୁଛନ୍ତି, ଏଠି ଆଜି ବି ଶିବ ଜାଗ୍ରତ।”
ଜୟ ସୋମନାଥ’ ଉପନ୍ୟାସ
ପ୍ରସିଦ୍ଧ ସାହିତ୍ୟିକ ଓ ସ୍ଵାଧୀନତା ସଂଗ୍ରାମୀ କନହୈୟାଲାଲ ମାଣିକଲାଲ ମୁଂଶୀ ତାଙ୍କ ଯୁବାବସ୍ଥାରେ ପହେଲଗାମର ସୌନ୍ଦର୍ଯ୍ୟକୁ କାବ୍ୟରେ ବର୍ଣ୍ଣନା କରିଛନ୍ତି । ଏହାକୁ ନେଇ ସେ ‘ଜୟ ସୋମନାଥ’ ଉପନ୍ୟାସର ରଚନା କରିଥିଲେ। ଲିଦ୍ଦର ନଦୀର କୂଳରେ ବସି ସେ ଏହି କବିତା ଲେଖିଥିଲେ, ଯେଉଁଥିରେ ସୋମନାଥ ମନ୍ଦିରର ବିଧ୍ଵଂସ, ମହମୂଦ ଗଜନୀଙ୍କ ଆକ୍ରମଣ ଓ ହିନ୍ଦୁମାନଙ୍କ ଦୁଃଖକୁ ଅନୁଭୂତି ସହିତ ଅଙ୍କିତ କରାଯାଇଛି।
ଏହି ଉପନ୍ୟାସ କେବଳ ସାହିତ୍ୟ ନୁହେଁ, ଏହା ଜମ୍ମୁକାଶ୍ମୀର ଗୌରବ ଓ ରକ୍ତର ଅନୁଭୂତିର ଏକ ଅନୁଭୂତି । ଯାହା ବର୍ଷ ବର୍ଷ ଧରି ଆଲୋଚନା ହେଉଛି ।
ଏଥିପାଇଁ ପର୍ଯ୍ୟଟକ ଓ ଚଳଚ୍ଚିତ୍ର ଜଗତ ଏଠାକୁ ଆକର୍ଷିତ ହୋଇ ଆସିଥାନ୍ତି । ଏଠି ‘ବେତାବ ଘାଟି’, ଓ ‘ଶେଷନାଗ’ ପରି ଅନେକ ପ୍ରସିଦ୍ଧ ଶୂଟିଂ ସ୍ଥଳ ଅଛି, ଯେଉଁଠି ‘ମିଶନ କାଶ୍ମୀର’, ‘ବଜରଙ୍ଗୀ ଭାଇଜାନ୍’, ‘ହାଇଦର୍’ ପରି ଚଳଚିତ୍ରଗୁଡ଼ିକର ଶୂଟିଂ ହୋଇଛି।
ଶେଷନାଗ ସ୍ଥଳରେ ବିଶ୍ୱାସ କରାଯାଏ ଯେ ସେଠି ଶେଷନାଗ ସ୍ୱୟଂ ବିରାଜିତ। ଥଣ୍ଡା ପବନ ଓ ପବିତ୍ର ଲିଦ୍ଦର ନଦୀ ଶ୍ରଦ୍ଧାଳୁଙ୍କ ଦେହ ଓ ମନକୁ ଶିତଳ କରେ।
ଐତିହାସିକ ପ୍ରମାଣ ଅନୁସାରେ ଷଷ୍ଠ ଶତାବ୍ଦୀରେ ହୁଣ ଶାସକ ମିହିରକୁଳ ପହେଲଗାମରେ ମିହିରେଶ୍ୱର ମନ୍ଦିର ନିର୍ମାଣ କରିଥିଲେ।
କଶ୍ମୀର ଶାରଦା ଭୂମି
କେବଳ ପହେଲଗାମ ନୁହେଁ, କଶ୍ମୀର ସବୁଦିନ ଶାରଦା ମାତାର ଭୂମି ଥିଲା। ମହାକବି କଲ୍ହଣ ତାଙ୍କ ‘ରାଜତରଙ୍ଗିଣୀ’ ଗ୍ରନ୍ଥରେ କହିଥିଲେ କିପରି ଶିବଙ୍କ ଅଂଶରେ ଏହି ଭୂମି ପବିତ୍ର ରହିଛି । ଅନେକ ପୁରାଣ କଶ୍ମୀରକୁ ସାକ୍ଷାତ୍ ପାର୍ବତୀ ଦେବୀଙ୍କ ରୂପ ଭାବରେ ବର୍ଣ୍ଣନା କରିଛନ୍ତି । ତେବେ ଏହି ପବିତ୍ର ଭୂମି କିଛି ବର୍ଷ ଭିତରେ ଏହାର ଇତିହାସ ହରାଇଛି । ଆଜି ଏଠାରେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । କିନ୍ତୁ ଦିନ ଆସିବ ପୁଣି ଏଠାରେ ଶିବଙ୍କ ଗୁଣଗାନ ପୂର୍ବବଳି ଗାୟନ କରାଯିବ । ହିନ୍ଦୁମାନେ ପୁଣି ଏଠାରେ ନିଜର ଆରାଧ୍ୟ ଭଗବାନଙ୍କ ପାଇଁ ଏକତ୍ରିତ ହୋଇ ଗୁଣଗାନ କରିବେ ।
ତେବେ ଆଉ କିଛି ଦିନ ପରେ ଅମରନାଥ ଯାତ୍ରା 2025 ଜୁନ୍ 27 ରୁ ଆରମ୍ଭ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି, କିନ୍ତୁ ଆତଙ୍କର ଛାୟା ମଧ୍ୟରେ ଶ୍ରଦ୍ଧାଳୁମାନେ ଭୟଭୀତ ଅଛନ୍ତି । କିନ୍ତୁ ଭାରତୀୟଙ୍କ ଆସ୍ଥା ଅଖଣ୍ଡ ରହିଛି। ବାବା ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପହଲଗାମରେ ପହଁଚିବେ ଏଥିରେ ସନ୍ଦେହ ନାହିଁ ।