ଚିଲିକା ହେଉଛି ଓଡ଼ିଶାର ହୃଦୟସ୍ଥଳ ଓ ଜଳ ପରିବେଶର ଜୀବନରେ ଏକ ଅବିଚ୍ଛିନ୍ନ ଅଂଶ। ଏହି ବିଶ୍ୱବିଖ୍ୟାତ ଖାରାପାଣି ହ୍ରଦ କେବଳ ଏକ ପ୍ରାକୃତିକ ସୌନ୍ଦର୍ୟର ପ୍ରତୀକ ନୁହେଁ, ଏହା ହେଉଛି ଲକ୍ଷ ଲକ୍ଷ ଓଡ଼ିଆଙ୍କ ଜୀବନର ଗାଥା। ପ୍ରତିବର୍ଷ ଶୀତକାଳ ଆସିବା ସହ ବିଭିନ୍ନ ଦେଶ ଓ ମାହାଦେଶରୁ କୋଟି କୋଟି ଅତିଥି ପକ୍ଷୀ ଏଠାକୁ ଆସନ୍ତି। ସାଇବେରିଆ, କଜାକସ୍ଥାନ, ମଙ୍ଗୋଲିଆ, ରୁଷିଆ ଓ ଚୀନରୁ ଆସୁଥିବା ଏହି ଅତିଥି ପକ୍ଷୀମାନେ ଚିଲିକା ର ହିମସ୍ପର୍ଶୀ ଜଳ ଓ ଶାନ୍ତ ପରିବେଶକୁ ନିଜ ମନ ପସନ୍ଦ ଗାଢ଼ି କରନ୍ତି।
ଚିଲିକା ହ୍ରଦ ପ୍ରାୟ 1,100 ବର୍ଗ କି.ମି. ତାଳଚୁଆରୁ ଗୋପାଳପୁର ପର୍ଯ୍ୟନ୍ତ ତିନି ଜିଲ୍ଲା — ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଅଂଚଳକୁ ଘେରିଛି। ଏହା ହେଉଛି ଏସିଆର ସବୁଠାରୁ ବଡ଼ (Brackish Water Lagoon) ହ୍ରଦ । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର । ଚିଲିକା “ଲବଣାକ୍ତ ହ୍ରଦ” ବା ଲଗୁନ୍ (Lagoon) ଏହାର କାରଣ ଏପରି ଏକ ଜଳଭାଗ ଯାହାର ପ୍ରାୟଶଃ ତିନିପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ ହୋଇଥିବା ବେଳେ ଏକ ପାର୍ଶ୍ୱ ସମୁଦ୍ର ସହ ସଂଯୁକ୍ତ। ସୁତରାଂ ଚିଲିକାକୁ ହ୍ରଦ ପରିବର୍ତ୍ତେ ଲଗୁନ୍ କୁହାଯିବା ଯୁକ୍ତିଯୁକ୍ତ ।
ପକ୍ଷୀମାନଙ୍କର ସ୍ୱର୍ଗ ହେଉଛି ଚିଲିକା । ନଳବନ, ମାଞ୍ଚ ଘାଟ, ଇରାବତୀ, ହାମିଲ୍ଟନ୍ ପୁଅଣ୍ଡ ସମେତ ବିଭିନ୍ନ ଦ୍ୱୀପ ଏହି ପକ୍ଷୀମାନଙ୍କର ଆଶ୍ରୟସ୍ଥଳ। ପିଙ୍କ ଫ୍ଲାମିଙ୍ଗୋ, ଗ୍ରେ ହେରନ୍, ପେଲିକାନ୍, ଡକ୍, ଗ୍ରୀବ୍, ଟର୍ନ୍ ଓ ଶିକାରୀ ପକ୍ଷୀମାନେ ଏଠାରେ ଆସି ଶୀତକାଳ କାଟନ୍ତି। ଓଡ଼ିଶାର ଚିଲିକା ବର୍ତ୍ତମାନ ଦକ୍ଷିଣ ଏସିଆର ଗୁରୁତ୍ୱପୂର୍ଣ୍ଣ ବାର୍ଡ ସ୍ୟାଙ୍କ୍ଚୁଆରୀ ମଧ୍ୟ ଏକ ଅଟୁଟ ଅଂଶ।
ମାଛ ଧରି ଜୀବନ ଅତିବାହିତ କରୁଥିବା ଲୋକଙ୍କ ଭାଗ୍ୟ ଚିଲିକା ହ୍ରଦ । ପ୍ରାୟ ଲକ୍ଷ ଲକ୍ଷ ଲୋକ ମାଛ ଧରି ଓ ବିକ୍ରୟ କରି ଜୀବନ ଜୀବିକା ଚାଲାନ୍ତି। କଲିଜାଇ, ଦାଉଣ୍ଡୀମୁହାଣା, ବାଳୁଗାଁ, ସାତପଡ଼ିଆ ଓ ଚାନ୍ଦାପୁର ଭଳି ଗାଁମାନେ ହେଉଛନ୍ତି ଏହି ମାଛିଆ ଜୀବନର ମୁଖ୍ୟ ଅଂଶ। ଏଠାରେ ଝିଙ୍ଗା, ଚିଙ୍ଗୁଡ଼ି, ବାଣ୍ଟି, ଖରେଘେନା ଭଳି ବିଭିନ୍ନ ଧରଣର ମାଛ ଧରାଯାଏ। ଏହା ଅଞ୍ଚଳର ଆର୍ଥିକତାର ମୁଖ୍ୟ ଶ୍ରୋତ।
ଅଂଶୁପା ଓ ସର ଓଡ଼ିଶାର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଖାର ପାଣି ହ୍ରଦ। ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଏହା ଭାରତୀୟ ଉପମହାଦେଶରେ ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ ଭାବେ ପରିଚିତ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସୁଥିବାର ରେକର୍ଡ ରହିଛି ।
ପୂର୍ବତଟ ରେଳପଥ (East Coast Railway)ରେ ଯାତ୍ରା କଲେ ଏହାର ସୈାନ୍ଦର୍ଯ୍ୟ ବାରିହୋଇପଡ଼େ । ଚିଲିକାକୁ ନେଇ ଅନେକ କବି ଅନେକ କବିତା ଲେଖିଛନ୍ତି । ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ କାଳଜୟୀ କବିତା ଲେଖିଛନ୍ତି । ଚିଲିକାର ନିକଟତମ ଷ୍ଟେସନଗୁଡ଼ିକ ହେଉଛି ବାଲୁଗାଁ ଓ ରମ୍ଭା । ଜାତୀୟ ରାଜପଥ ୫ରେ ଗଲେ ବାଲୁଗାଁ, ବରକୁଳ ଓ ରମ୍ଭାରେ ଓହ୍ଲାଇ ଚିଲିକା ଯାଇହୁଏ। ଭୁବନେଶ୍ୱରଠାରୁ ବାଲୁଗାଁ ପ୍ରାୟ ୧୦୦ କି.ମି., ବରକୁଳ ୧୧୦ କି.ମି. ଓ ରମ୍ଭା ୧୩୦ କି.ମି.। କିଛି ପର୍ଯ୍ୟଟକ ପୁରୀବାଟଦେଇ ସାତପଡ଼ାରୁ ଯାଇଥାନ୍ତି । ପୁରୀଠାରୁ ସାତପଡ଼ା ୫୦ କି.ମି.। ଚିଲିକା ବୁଲାବୁଲି ପାଇଁ ସର୍ବୋତ୍କୃଷ୍ଟ ସମୟ ହେଉଛି ଅକ୍ଟୋବର ମାସରୁ ଫେବୃୟାରୀ ମାସ, ମାତ୍ର ଉପଭୋଗର ସମୟ ଡିସେମ୍ବର ଜାନୁୟାରୀ ମାସ ।
ଚିଲିକାର ବିଶେଷତ୍ୱ ହେଉଛି ଯେ ପୃଥିବୀରେ ଯେତେଗୁଡ଼ିଏ ଜଳଭାଗ, ହ୍ରଦ ବା ଲଗୁନ ରହିଛି ତନ୍ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର। ତାହାର କାରଣ ଏହା ଏକ ବୃହତମ ଲବଣାକ୍ତ ହ୍ରଦ ବା ଲଗୁନ । ଚିଲିକା ଭାରତ ଉପମହାଦେଶରେ ପରିବ୍ରାଜୀ ପକ୍ଷୀମାନଙ୍କର ଏକ ବୃହତ୍ତମ ଓ ଉତ୍ତମ “ଶୀତ ଭୂମି”। ଭାରତ ବର୍ଷର ଜୈବବିଭିନ୍ନତା ର ଏକ ବୃହତ “ଉଷ୍ମସ୍ଥଳ” ବା ହଟ୍ ସ୍ପଟ୍ । ନଳବଣ ଦ୍ୱୀପ ବନ୍ୟଜନ୍ତୁ (ସଂରକ୍ଷଣ) ନିୟମାନୁଯାୟୀ ଏକ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷିତ । ଚିଲିକାର ସୁସ୍ୱାଦୁ ମତ୍ସ୍ୟ, ଚିଙ୍ଗୁଡ଼ି ଓ କଙ୍କଡ଼ା ପୃଥିବୀ ବିଖ୍ୟାତ।
ତେବେ ଚିଲିକାର ଏହି ଶୋଭା ଓ ଜୀବନ ଅବଲମ୍ବନ ଏବେ ଅନେକ ସମସ୍ୟା ସମ୍ମୁଖୀନ ହୋଇଛି । ବେଳେବେଳେ ଚିଙ୍ଗୁଡ଼ି ଘେରି ଚିଲିକା ରେ ଜଳଚର ଓ ପକ୍ଷୀମାନଙ୍କର ଜୀବନକୁ ବିପଦ ମଧ୍ୟରେ ପକାଇଛି। ଅନେକ ମାଛ ଓ ପକ୍ଷୀ ପ୍ରଜାତିଙ୍କ ଜୀବନ ଯାଉଛି ।
ଚିଲିକା ହେଉଛି ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର । ଏହାର ସୁରକ୍ଷା ମାନେ କେବଳ ପକ୍ଷୀ ଓ ମାଛ ର ସୁରକ୍ଷା ନୁହେଁ, ଏହା ହେଉଛି ଏକ ସଂସ୍କୃତି, ଏକ ପରିବେଶ, ଏବଂ ଏକ ଜୀବନ ଧାରାକୁ ରକ୍ଷା କରିବା। ନୀଳ ଆକାଶ ତଳେ ଚିଲିକା ଯେପର୍ଯ୍ୟନ୍ତ ଶାନ୍ତ ଓ ସ୍ୱଚ୍ଛ ରହିବ, ଓଡ଼ିଶା ର ହୃଦୟ ସେପର୍ଯ୍ୟନ୍ତ ସତେଜ ରହିଥିବ ।