ମୁମ୍ବାଇ ବିଜୟକୁ ନେଇ ପ୍ରଶଂସକ ଖୁସି ଅଛନ୍ତି । ମୁମ୍ବାଇ ଲଗାତର ପରାଜୟ ପରେ ଦ୍ବିତୀୟ ବିଜୟ ହାସଲ କରିଛି । ଲଗାତାର ଦିଲ୍ଲୀ ମ୍ୟାଚ ଜିତିଚାଲିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ରଥକୁ ଦିଲ୍ଲୀରେ ରୋକିଛି ମୁମ୍ବାଇ ଇଣ୍ଡିଆନ୍ସ। ଦୁଇ ଶହ ରନର ଟାର୍ଗେଟ ଦେଇଥିବା ମୁମ୍ବାଇକୁ ଆଜି ପର୍ଯ୍ୟନ୍ତ କେହି ପରାସ୍ତ କରିନାହାଁନ୍ତି । ଏହି ରେକର୍ଡ ବଜାୟ ରଖିଛି ମୁମ୍ବାଇ ।
ରୋମାଞ୍ଚକ ମୁକାବିଲାରେ ଦିଲ୍ଲୀକୁ ୧୨ ରନ୍ରେ ହରାଇ ଷଷ୍ଠ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ପାଇଛି ଏହି ପାଞ୍ଚ ଥର ବିଜେତା ଦଳ। ଅନ୍ୟପକ୍ଷରେ ଦିଲ୍ଲୀ ପଞ୍ଚମ ମ୍ୟାଚ୍ରୁ ପ୍ରଥମ ପରାଜୟ ବରଣ କରିଛି। ୨୦୬ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ ରବିବାର କରୁଣ ନାୟର (୮୯)ଙ୍କ ବିସ୍ଫୋରକ ପାଳି ପାଇଁ ଦୃଢ଼ ସ୍ଥିତିରେ ରହିଥିଲା। ତେବେ ଜବରଦସ୍ତ ବୋଲିଂ ସହ ଯାଦୁଗରୀ ଫିଲ୍ଡିଂ କରି ୪୯ ରନ୍ ଭିତରେ ୭ ୱିକେଟ୍ ନେବା ସହ ମୁମ୍ବାଇ ଅଚାନକ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲା। ଫଳରେ ଦିଲ୍ଲୀ ୧୯୩ ରନ୍ରେ ଅଟକି ଯାଇଥିଲା।
ରୋହିତ ଶର୍ମା (୧୮ ରନ୍, ୧୨ ବଲ୍) ତିନିଟି ଦର୍ଶନୀୟ ସଟ୍ରୁ ଦୁଇଟି ଚୌକା ଓ ଗୋଟିଏ ଛକା ଅମଳ କରିଥିଲେ। ତେବେ ପୁଣି ଥରେ ଭଲ ଆରମ୍ଭକୁ ବଡ଼ ସ୍କୋର୍ରେ ରୂପାନ୍ତର କରିବାରେ ବିଫଳ ହୋଇଥିଲେ।
ଫଳରେ ୨୦୨୩ ମସିହା ପରେ ଅନ୍ୟୂନ ୨୫ ପାଳି ଖେଳିଥିବା ଆଇପିଏଲ୍ ଓପନର୍ଙ୍କ ମଧ୍ୟରେ ଦ୍ବିତୀୟ ସବୁଠାରୁ ଖରାପ ହାରାହାରି (୨୪.୩୯, ଋଦ୍ଧିମାନ ଶାହଙ୍କ ଆଭରେଜ୍ ୨୦.୨୮ ଏହି କ୍ଷେତ୍ରରେ ସବୁଠୁ ଖରାପ) ରନ୍ କରିବାର ଅଲୋଡ଼ା ରେକର୍ଡ କରିଥିଲେ। ତେବେ ଅନ୍ୟତମ ଓପନର୍ ରିୟାନ ରିକେଲଟନ୍ (୪୧ ରନ୍, ୨୫ ବଲ୍)ଙ୍କ ଆକ୍ରମଣାତ୍ମକ ମୁଦ୍ରା ପାଇଁ ପାୱାର ପ୍ଲେ’ରେ ରୋହିତଙ୍କୁ ହରାଇ ୫୯ ରନ୍ କରି ନେଇଥିଲା ମୁମ୍ବାଇ।