ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଓ ଶୁବମନ ଗିଲଙ୍କ ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟନ୍ସ (ଜିଟି) ୭ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍)କୁ ପରାସ୍ତ କରିଛି। ହାଇଦ୍ରାବାଦ ପକ୍ଷରୁ ଧାର୍ଯ୍ୟ ୧୫୩ ରନର ଟାର୍ଗେଟକୁ ଗୁଜରାଟ ୧୬.୪ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା।
ଗୁଜରାଟର ଏହା ଚତୁର୍ଥ ମ୍ୟାଚରେ ତୃତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ଲାଗି ଏହା ଲଗାତର ଚତୁର୍ଥ ପରାଜୟ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୨୦ ଓଭରରେ ୮ ଉଇକେଟ ହରାଇ ୧୫୨ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ନୀତିଶ କୁମାର ରେଡ୍ଡୀ ୩୧, ହେନରିଚ କ୍ଲାସେନ ୨୭, ଅଧିନାୟକ ପ୍ୟାଟ କୁମିନ୍ସ ୨୨, ଅଭିଶେକ ଶର୍ମା ୧୮, ଅନିକେତ ବର୍ମା ୧୮, ଇଶାନ କିଶନ ୧୭ ରନ କରିଥିଲେ।
ବୋଲିଂରେ ଜିଟି ପାଇଁ ମହମ୍ମଦ ସିରାଜ ସର୍ବାଧିକ ୪ ଉଇକେଟ ନେଇଥିଲେ। ଏଥିସହିତ ସେ ଆଇପିଏଲ୍ରେ ୧୦୦ ଉଇକେଟ ନେବାର ମାଇଲଖୁଣ୍ଟ ପୂରଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରସିଦ୍ଧ କ୍ରିଷ୍ଣା ଓ ଆର ସାଇ କିଶୋର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଆରମ୍ଭରୁ ସାଇ ସୁଦର୍ଶନ ଓ ଜୋସ ବଟଲରଙ୍କ ଉଇକେଟ ହରାଇଥିଲା। ଚତୁର୍ଥ କ୍ରମରେ ଆସିଥିବା ଓ୍ବାଶିଂଟନ ସୁନ୍ଦରଙ୍କ ସହ ମିଶି ଅଧିନାୟକ ଶୁବମନ ଗିଲ ତୃତୀୟ ଉଇକେଟ ଲାଗି ୯୦ ରନ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ।