ମୁମ୍ବାଇ ଇଣ୍ଡିଆନ୍ସ ୮ ଉଇକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ତା’ର ପଏଣ୍ଟ ଖାତା ଖୋଲିଛି। ପଦାର୍ପଣ ମ୍ୟାଚରେ ପ୍ରଥମ ଭାରତୀୟ ଭାବେ ଅଶ୍ୱନୀ ୪ ଉଇକେଟ ନେଇଛନ୍ତି।
ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କୋଲକାତା ୧୬.୨ ଓଭରରେ ୧୧୬ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ୨୬, ରମନଦୀପ ସିଂ ୨୨, ମନୀଷ ପାଣ୍ଡେ ୧୯, ରିଙ୍କୁ ସିଂ ୧୭, ଅଧିନାୟକ ଅଜିଙ୍କ୍ୟ ରାହାନେ ୧୧ ରନ କରିଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ। ମୁମ୍ବାଇ ପକ୍ଷରୁ ପଦାର୍ପଣକାରୀ ଅଶ୍ୱନୀ କୁମାର ସର୍ବାଧିକ ୪ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚହର ୨ଟି ଉଇକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ, ବିଘ୍ନେଶ ପୁଥୁର ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ମୁମ୍ବାଇ ମାତ୍ର ୧୨.୫ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।