ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ଟପ୍ ମାଓ ନେତା ଜଗଦୀଶ ସମେତ ୧୭ ମାଓବାଦୀ ଟଳିପଡ଼ିଛନ୍ତି । ଡିଆରଜି ଓ ସିଆରପିଏଫ୍ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ।
ସୁକୁମା ଜିଲ୍ଲା କେରଲାପାଲ ଥାନା ଗୋଗଣ୍ଡା ପାହାଡ଼ରେ ଚାଲିଥିଲା ମାଓବାଦୀଙ୍କ ଶିବିର । ଟପ୍ ମାଓ ନେତା ଜଗଦୀଶ ନେତୃତ୍ବରେ ଏକ ୪୦ ଜଣିଆ ଟିମ୍ ଉପମପଲ୍ଲୀ ଗାଁ ରାସ୍ତା ଦେଇ ଯାଆସ କରୁଥିବାର ଖବର ମିଳିଥିଲା । ବିଶ୍ବସ୍ତ ସୂତ୍ରରୁ ଏହି ସୂଚନା ମିଳିବା ପରେ ଅପରେସନ୍ ଆରମ୍ଭ କରିଥିଲେ ଡିଆରଜି ଓ ସିଆରପିଏଫ ଯବାନ । ୪ ଦିନ ଧରି ଯବାନମାନେ ଘଞ୍ଚ ଜଙ୍ଗଲରେ ଜଗଦୀଶ ଓ ତାଙ୍କ ଟିମକୁ ଅପେକ୍ଷା କରିଥିଲେ । ଆଜି ଭୋର ସମୟରେ ଉପମପଲ୍ଲୀ ଗାଁ ଜଙ୍ଗଲ ନିକଟରେ ଯବାନଙ୍କ ସହ ଲାଲବାହିନୀ ମୁହାଁମୁହିଁ ହୋଇଥିଲେ । ଗୁଳିବିନିମୟରେ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଜଗଦୀଶ ଓରଫ ବୁଦ୍ରା ସମେତ ୧୭ ମାଓବାଦୀ ଟଳିପଡିଛନ୍ତି । ଯାହା ଭିତରେ ଅଛନ୍ତି ୧୧ ମହିଳା ମାଓବାଦୀ ।