ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ | ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା । ପରେ ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ହେବ । ଖାତା ଦେଖା ପାଇଁ ୭୮ଟି ଅଫଲାଇନ୍, ୭୦ଟି ଅନଲାଇନ୍ କେନ୍ଦ୍ର ହୋଇଛି । ଖାତା ମୂଲ୍ୟାଙ୍କନ ପାଇଁ ୧୬ ହଜାର ଅଧ୍ୟାପକ ନିୟୋଜତ ହୋଇଥିବା ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଡ଼ଃ ପ୍ରଶାନ୍ତ ପରିଡା ।
ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ । ଖାତା ଦେଖିବା ପାଇଁ ରହିଥିବା ଶିକ୍ଷକଙ୍କ ଉପରେ ରହିବ କଡ଼ା ନଜର । ପରୀକ୍ଷା ସରିଥିବାବେଳେ ମୋଟ ୩୦୦ ଜଣ ବିଦ୍ୟାର୍ଥୀ କପି କରି ଧରା ପଡିଛନ୍ତି । ଅତ୍ୟଧିକ ଖରା ଯୋଗୁଁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁନଥିବାରୁ ଖାତାଦେଖା କେନ୍ଦ୍ର ବଢ଼ାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ ହୋଇଛନ୍ତି ।
ଡ଼ଃ ପ୍ରଶାନ୍ତ ପରିଡା କହିଛନ୍ତି, ଏକ୍ଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି । ୩୫, ୪୦ ଓ ୫୦ ମାର୍କ ଥିବା ବିଷୟଗୁଡିକ ପାଇଁ ୩୦ଟି ଖାତା ୫ ଘଣ୍ଟାରେ ଦେଖିବେ ଶିକ୍ଷକ । ସେହିପରି ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ ଟି ଖାତା ଦେଖିପାରିବେ ଶିକ୍ଷକ ।