ଚଳିତ ଆଇପିଏଲ୍ରେ ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପ୍ରଥମ ବିଜୟ ହାସଲ କରିଛି। ବୁଧବାର ଏହି ଦଳ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସକୁ ଏକତରଫା ଭାବେ ୮ ୱିକେଟ୍ରେ ହରାଇ ପଏଣ୍ଟ୍ ଖାତା ଖୋଲିଛି। ଅନ୍ୟପକ୍ଷରେ ରାଜସ୍ଥାନ ଦୁଇଟି ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରି ତାଲିକାର ସବାଶେଷ ସ୍ଥାନରେ ରହିଛି।
ରାଜସ୍ଥାନ ମାତ୍ର ୧୫୨ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ କୋଲକାତା ୧୫ ବଲ୍ ପୂର୍ବରୁ କେବଳ ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ମୋଇନ ଅଲୀ (୫) ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୮) ବିଫଳ ହୋଇଥିଲେ। ତେବେ ଅନ୍ୟତମ ଓପନର୍ କ୍ବିଣ୍ଟନ୍ ଡି’କକ୍ (୯୭*) ଓ ଇମ୍ପାକ୍ଟ ପ୍ଲେୟର ଅଙ୍ଗକ୍ରିସ୍ ରଘୁବଂଶୀ (୨୨*) ଅବିଭାଜିତ ତୃତୀୟ ୱିକେଟ୍ରେ ୮୩ ରନ୍ ଯୋଡ଼ି କୋଲକାତାକୁ ସହଜ ବିଜୟ ଉପହାର ଦେଇଥିଲେ। ଜୋଫ୍ରା ଆର୍ଚରଙ୍କୁ ଛକା ମାରି ଅପରାଜିତ ଡି’କକ୍ କୋଲକାତାର ବିଜୟ ମୁଣ୍ଡି ମାରିଥିଲେ। ତେବେ ବୋର୍ଡରେ ଆଉ ରନ୍ ନଥିବାରୁ ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ଡି’କକ୍ ।