ଓଡ଼ିଆଙ୍କ ପାଖରେ ଯେତେ ମଟନ୍, ଚିକେନ୍ ଓ ମାଛ ଥାଉ । ପଖାଳ କଂସା ସାମ୍ନାରେ ଏସବୁ ଫିକା । ଆଳୁ ଚକଟାକୁ ବାଇଗଣ ଭର୍ତ୍ତା, ପୁଣି ଶାଗକୁ ଟିକେ ପାଗ । ପୂରା ଜମିବ ଖାଇବା । ପଖାଳର ସ୍ବାଦ ଆଗରେ ଆମିଷ ପାସଙ୍ଗରେ ପଡ଼ିବ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ପଖାଳକୁ ନେଇ ଏବେ ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି । ଖାସ କରି ଆଜି ପଖାଳ ଦିବସ ପାଳନ ହେଉଥିବାରୁ ବଡ଼ବଡ଼ ହୋଟେଲ୍ରେ ବି ଭେରାଇଟି ପଖାଳ ବିକ୍ରି । ଯିଏ ଯେମିତିକା ଚାହିଁବ ସିଏ ସେମିତିକା ଖାଇବ ।
କଥାରେ ଅଛି…ଖାଅ ପଖାଳ, ଯାଇ ସଅଳ । ଅର୍ଥାତ୍ ପଖାଳ ଖାଇବା ପରେ ପେଟ ଥଣ୍ଡା ରହୁଥିବାରୁ କାମ କରିବା ସହଜ ହୁଏ । ସେଇଥି ଲାଗି ତ ଓଡ଼ିଆଙ୍କ ମଉଡ଼ମଣୀ ସ୍ବୟଂ ଜଗନ୍ନାଥ ବି ପଖାଳ ଖାଆନ୍ତି । ସିଏ ପୁଣି ଏମିତି ସେମିତି ପଖାଳ ନୁହେଁ । ଶ୍ରୀଜିଉଙ୍କ ପଖାଳରେ ପଡ଼େ ଘିଅ । ସେଇଥି ଲାଗି ତ କୁହାଯାଏ, ପଖାଳ ଭାତରେ ଘି… ତୋ ବୋପା ଖାଇଥିଲା କି ? ଅର୍ଥାତ୍ ପଖାଳ ଭାତରେ ଘିଅ କେବଳ ମହାପ୍ରଭୁ ହିଁ ଖାଆନ୍ତି । ଆମର ଆରାଧ୍ୟ ଦେବତା ଯେବେ ପଖାଳ ପ୍ରିୟ ସେବେ ଓଡ଼ିଆ ବା ଏଥିରୁ ଦୂରେଇ ରହିବେ କେମିତି ।
କି ଖରା କି ବର୍ଷା କି ଶୀତ । ଓଡ଼ିଆ ଘରେ କିଛି ଥାଉ କି ନଥାଉ । କଂସେ ପଖାଳ ନିହାତି ଥିବ । ଇଏ ଓଡ଼ିଆ ଜାତିର ଗର୍ବ ଓ ଗୌରବ । କହିବାକୁ ଗଲେ ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ବ୍ୟଞ୍ଜନ ପଖାଳ । ଖାସ କରି ପଖାଳ ସାଙ୍ଗରେ ଆଳୁ ଚକଟା, ବଡ଼ି ଭଜା, କଂଚାଲଙ୍କା , ରସୁଣ ସାଙ୍ଗକୁ କଂଚା ସୋରିଷ ତେଲ…ଓଃ ପାଗଟା ପୂରା ଜମିଯାଏ । କେହି କେହି ପଖାଳ ସାଙ୍ଗରେ ଚୂନା ମାଛ, ବଡ଼ ମାଛ ଭଜା, ସଜନା ଛୁଇଁ ଭଜା, ଟମାଟୋ ଓ ବାଇଗଣ ଚକଟା ବି ଖାଆନ୍ତା । ଖାସ କରି ଖରାରେ ଆସି ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ପେଟ ମୁଣ୍ଡ ପୂରା ଶାନ୍ତି । ଆଉ ଏ ତାତି ଯେମିତି ବଢିଲାଣି ସତେ ପଖାଳ କଂସା ଯେମିତି ହାତଠାରି ଡାକୁଛି…ଆ ଆ…
ଖଟିଖିଆର ଭାତହାଣ୍ଡି ଠାରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ…ଆଜି ସବୁଠି ପଖାଳର ଚାହିଦା କାହିଁ କେତେ ଅଧିକା । ପଖାଳ ଆଗରେ ବଡ଼ ବଡ଼ ରେଷ୍ଟୁରାଣ୍ଟର ମହଙ୍ଗା ଡିସ୍ ଆଜି ଫିକା । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଯଦିଓ ପଖାଳ ଓଡ଼ିଆଙ୍କ ନିତି ଦିନିଆ ଖାଦ୍ୟ, ମାତ୍ର ଖରା ଦିନରେ ଏହା ବେଶି ମନେ ପଡ଼ିଥାଏ । ପଖାଳ ସାଙ୍ଗକୁ କିଛି ଭଜା ହେଉ କି ବଡ଼ି ଚୁରା ଆଦି ଖାଇ, ତୋରାଣି ମୁନ୍ଦେ ପିଇଦେଲେ ଆପେ ଆପେ ପାଟିରୁ ବାହାରି ଆସେ ‘ଓଃ କି ଶାନ୍ତି’….।
କଥା ହେଲା, କେବଳ ଓଡ଼ିଶାରେ ରହୁଥିବା ଓଡ଼ିଆ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇବାକୁ କେବେ ଭୁଲନ୍ତି ନାହିଁ । ସୋସିଆଲ ମିଡିଆରେ ବି ଟ୍ରେଣ୍ଡ କରୁଛି ପଖାଳ ଦିବସ । ସେଲିବ୍ରିଟିଙ୍କଠୁ ଆରମ୍ଭ କରି ରାଜନେତା ଆଜି ଖାଉଛନ୍ତି ପଖାଳ । ପରେ ପରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଫଟୋ । ତେବେ ଆପଣ ବି ଯଦି ପଖାଳ ଖାଇଛନ୍ତି କି ପ୍ଲାନ୍ ରଖିଛନ୍ତି ଖାଇବାର ତେବେ ଆମକୁ ନିଶ୍ଚିତ କମେଣ୍ଟ କରି ଜଣାନ୍ତୁ..