କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
“ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ନେତା ଏବଂ ଦକ୍ଷ ସାଂସଦ ଥିଲେ। ସେ ୧୯୯୯ ରୁ ୨୦୦୧ ପର୍ଯ୍ୟନ୍ତ କେନ୍ଦ୍ରରେ ପରିବହନ ଏବଂ କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ବହୁ କଲ୍ୟାଣକାରୀ କାର୍ଯ୍ୟ କରି ସମ୍ମାନ ଅର୍ଜନ କରିଥିଲେ। ରାଜ୍ୟର ବିକାଶରେ ତାଙ୍କର ଅପୂର୍ବ ଅବଦାନ ରହିଛି,” ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ପୂର୍ବତନ ଓଡ଼ିଶା ବିଜେପି ସଭାପତି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବିରୋଧୀ ଦଳ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
“ସ୍ୱର୍ଗତ ଡକ୍ଟର ପ୍ରଧାନଙ୍କୁ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଏବଂ ଅଦମ୍ୟ ବ୍ୟକ୍ତିତ୍ୱ ପାଇଁ ମନେ ରଖାଯିବ। ସେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗ୍ରହଣ କରି ତାଙ୍କର ପ୍ରଶାସନିକ ଦକ୍ଷତା ମଧ୍ୟ ପ୍ରଦର୍ଶନ କରିଛନ୍ତି। ତାଙ୍କ ବିୟୋଗ ସହିତ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ନେତା ଏବଂ ଲୋକପ୍ରିୟ ରାଜନେତାଙ୍କୁ ହରାଇଲା,” ବୋଲି ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି।
ଡ. ପ୍ରଧାନ ଙ୍କ ବିୟୋଗ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ନିଜର ଶୋକ ପ୍ରକାଶ କରିଛନ୍ତି
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ବୋଲି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି l ଏବଂ ସେ କହିଛନ୍ତି ଯେ ମୁଁ ମୋର ଜଣେ ପ୍ରିୟ ବନ୍ଧୁଙ୍କୁ ହରେଇଲି।
ସ୍ବର୍ଗତ ପ୍ରଧାନ ଜଣେ ଭଲ ରାଜନେତା ଓ ଦୃଢ଼ ସଂଗଠକ ଥିଲେ। ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇ ସଂସଦରେ ରାଜ୍ୟର ବହୁ ସମସ୍ୟା ଉପସ୍ଥାପନ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଭାବରେ ସାଧାରଣ ଲୋକ ଓ ଦେଶବାସୀଙ୍କ ସେବାରେ ନିଜକୁ ସମର୍ପଣ କରିଥିଲେ। ରାଜ୍ୟ ବିଜେପିର ସଭାପତି ଭାବରେ ଦଳକୁ ସୁଦୃଢ କରିବାରେ ତାଙ୍କର ବିଶେଷ ଭୂମିକା ଥିଲା। ରାଜ୍ୟ ଓ ଦେଶକୁ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ପୂର୍ବତନ ରାଜ୍ୟପାଳ କହିଛନ୍ତି।
ଏଥିସହିତ ଶ୍ରୀ ହରିଚନ୍ଦନ ଏହି ଦୁଃଖଦ ମୁହୂର୍ତ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଏ ଦୁଃଖ ସହ୍ୟ କରିବା ପାଇଁ ସମବେଦନା ଜଣାଇଛନ୍ତି