ବଲୁଚିସ୍ତାନ ଟ୍ରେନ୍ ଅପହରଣ ମାମଲାରେ ଅତି ଭୟାନକ ତଥ୍ୟ ସାମ୍ନାକୁ ଆସିଛି। ୩୫୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ନେଇ ପାକ୍ ସେନା ଓ ସରକାରର ଦାବିକୁ ବଲୁଚ ମୁକ୍ତି ସେନା (ବିଏଲ୍ଏ) ଖଣ୍ଡନ କରିବା ସହ ସେମାନଙ୍କ କବ୍ଜାରେ ଥିବା ସମସ୍ତ ୨୧୪ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଥିବା ଦାବି କରିଛି। ବିଏଲ୍ଏ ଏକ ବିବୃତିରେ କହିଛି ଯେ ଆମେ ପାକିସ୍ତାନୀ ସେନାକୁ ବନ୍ଧକମାନଙ୍କୁ ଅଦଳବଦଳ କରିବାକୁ ୪୮ ଘଣ୍ଟା ସମୟ ଦେଇଥିଲୁ। କିନ୍ତୁ ପାକିସ୍ତାନର ଜିଦ୍ ଯୋଗୁଁ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଲେ। ବିଏଲ୍ଏ କହିଛି ଯେ ଏହି ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ଆଗକୁ ଏହା ଆହୁରି ତୀବ୍ର ହେବ। ନିଜ ସ୍ୱାଧୀନତା ପାଇଁ ଲଢୁଥିବା ବଲୋଚ ସଂଗ୍ରାମୀମାନେ ପାକ୍ ସେନାର ଦମନରେ ଦବିଯିବେ ନାହିଁ ବୋଲି ଏହି ବିବୃତିରେ କୁହାଯାଇଛି। ପାକ୍ ସେନା ନିଜ ସୈନିକଙ୍କ ମୃତଦେହ ଉଦ୍ଧାର କରିବାରେ ଅସମର୍ଥ। ଅପରେସନ ଦାରା-ଏ-ବୋଲାନ ଶେଷ ହେବା ପରେ ଆମେ ଅପରେସନର ବିବରଣୀ ଦେବୁ ବୋଲି ବିଏଲ୍ଏ କହିଛି।
ବିଏଲ୍ଏ ମାର୍ଚ୍ଚ ୧୨ରେ ଜାଫର୍ ଏକ୍ସପ୍ରେସ ଅପହରଣ କରିଥିଲା। ଏହାର ପରଦିନ ଅର୍ଥାତ୍ ମାର୍ଚ୍ଚ ୧୩ ତାରିଖରେ ପାକିସ୍ତାନ ସେନା ଦାବି କରିଥିଲା ଯେ ଟ୍ରେନ୍ ଅପହରଣ ସଙ୍କଟ ଶେଷ ହୋଇଛି। ୩୩ ଜଣ ବଲୋଚ ଲଢୁଆଙ୍କୁ ନିପାତ କରି ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯାଇଛି ବୋଲି ଘୋଷଣା କରାଯାଇଥିଲା। ବିଏଲ୍ଏ କହିଛି ଯେ ଆମର ଲଢୁଆମାନେ ନିଜେ ସହିଦ ହେବା ରାସ୍ତା ବାଛିଥିଲେ ଏବଂ ପଣବନ୍ଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ପାକିସ୍ତାନୀ ସେନା ନିଜର ସମସ୍ତ ସାମରିକ ଓ ଗୁଇନ୍ଦା ସାମର୍ଥ୍ୟ ସତ୍ତ୍ୱେ ବନ୍ଦୀମାନଙ୍କୁ ମୁକ୍ତ କରିବାରେ ବିଫଳ ହୋଇଥିଲା। ପାକିସ୍ତାନ ସେନାର ମିଛକୁ ଆମେ ପର୍ଦ୍ଦାଫାସ କରିଛୁ ଏବଂ ଆମ ପାଖରେ ଥିବା ସମସ୍ତ ୨୧୪ ଜଣ ପଣବନ୍ଦୀଙ୍କୁ ହତ୍ୟା କରିଛୁ ବୋଲି ବିଏଲ୍ଏ ଦାବି କରିଛି। ସୂଚନାଯୋଗ୍ୟ, ଟ୍ରେନ୍ ଅପହରଣ ଘଟଣାରେ ଭାରତର ସମ୍ପୃକ୍ତି ଥିବା ପାକିସ୍ତାନ ଅଭିଯୋଗ କରିଥିଲା। ପାକିସ୍ତାନର ଏହି ଅଭିଯୋଗକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିବା ସହ ପାକିସ୍ତାନ ଏବେ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି କହିଛି।