ପାକିସ୍ତାନରେ ଜାଫର ଏକ୍ସପ୍ରେସ ଅପହରଣ ପରେ ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ରେନ ଅପହରଣ କରିଥିବା ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ପୂର୍ବରୁ ଶାହବାଜ ସରକାରଙ୍କୁ ଚେତାବନୀ ଦେଇଥିଲା, କିନ୍ତୁ ଶାହବାଜ ସରିଫ ନିଜ ଜିଦ୍ ରେ ଅଟଳ ରହିଲେ ଏବଂ ଵିଏଲଏ ବିରୁଦ୍ଧରେ ଅପରେସନ୍ କରିବା ପାଇଁ ସେନାକୁ ଅନୁମତି ଦେଲେ। ଏବେ ଵିଏଲଏ ଏପରି ଏକ ଯୋଜନା କରିଛି ଯେ ଯାହାଦ୍ୱାରା ପାକିସ୍ତାନ ଭାଗ ଭାଗ ହୋଇଯିବ |
ଜାଫର ଏକ୍ସପ୍ରେସ ଅପହରଣ କରିବା ପରେ, ବିଏଲଏ ଶାହବାଜ ସରକାରଙ୍କ ସମ୍ମୁଖରେ ଏହାର ଦାବି ରଖିଥିଲା। ବିଏଲଏ କହିଥିଲା ଯେ ବେଲୁଚ୍ ନେତାମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ମୁକ୍ତ କରାଯିବା ଉଚିତ ଏବଂ ଚୀନକୁ ବେଲୁଚିସ୍ତାନରୁ ଦୂରରେ ରଖିବା ଉଚିତ। ବିଏଲଏ ଚେତାବନୀ ଦେଇଥିଲା ଯେ ଯଦି ସରକାର ସେନାକୁ ଅପରେସନ କରିବାକୁ ଅନୁମତି ଦିଅନ୍ତି, ତେବେ ସେମାନେ ବନ୍ଧକମାନଙ୍କୁ ହତ୍ୟା କରିବେ। ତଥାପି, ପାକିସ୍ତାନର କମାଣ୍ଡୋମାନେ ଏକ ଅପରେସନ୍ କରି ବନ୍ଧକମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଦାବି କରିଥିଲେ ଯେ ସମସ୍ତ ବିଏଲଏ ଲଢ଼ୁଆଙ୍କୁ ହତ୍ୟା କରାଯାଇଛି। ପାକିସ୍ତାନୀ ସେନାର ଜିଦ୍ ଯୋଗୁଁ ପ୍ରାୟ ୨୦୦ ଲୋକ ପ୍ରାଣ ହରାଇଲେ। ପାକିସ୍ତାନର ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀ ବିଦ୍ରୋହର ନିଆଁ ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱା ବାହାରକୁ ବ୍ୟାପି ସିନ୍ଧ ପର୍ଯ୍ୟନ୍ତ ପହଞ୍ଚିପାରେ। ସେମାନେ ବିଶ୍ୱାସ କରୁଛନ୍ତି ଯେ ସିନ୍ଧରେ ସକ୍ରିୟ ବିଏଲଏ ଏବଂ ସିନ୍ଧଦେଶ ରିଭୋଲ୍ୟୁସନାରୀ ଆର୍ମି (SRA) ମଧ୍ୟରେ ଏକ ମେଣ୍ଟ ହେବାର ସମ୍ଭାବନା ଅଛି, ଯାହା ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଚୀନ୍ ନିବେଶ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ।
ଜାଫର ଏକ୍ସପ୍ରେସ ଅପହରଣ ପୂର୍ବରୁ, ବିଏଲଏ, ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (BLF) ଏବଂ ବେଲୁଚିସ୍ତାନ ରିପବ୍ଲିକାନ ଗାର୍ଡସ (BRG) ସହିତ ଏକ ନୂତନ ମିଳିତ ବାହିନୀ, ନ୍ୟାସନାଲ ଆର୍ମି ଅଫ୍ ବେଲୁଚିସ୍ତାନ ଘୋଷଣା କରିଥିଲା। ଏବେ ସିନ୍ଧର ବିଦ୍ରୋହୀ ସେନା ସିନ୍ଧଦେଶ ରିଭୋଲ୍ୟୁସନାରୀ ଆର୍ମି ଏହି ସଂଗଠନରେ ଯୋଗ ଦେଇଥିବା ରିପୋର୍ଟ ଆସିଛି। ଏହା କେବଳ ପାକିସ୍ତାନରେ ନୁହେଁ ବରଂ ଚୀନର ଚିନ୍ତା ମଧ୍ୟ ବଢ଼ାଇଦେଇଛି ।