ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘୋଷଣା କରିଛନ୍ତି। ସୋମବାର ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ ପରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
୯୧ ବର୍ଷରେ ଆଖିବୁଜିଲେ କବି ରମାକାନ୍ତ ରଥ । ‘ଶ୍ରୀରାଧା’ କବି ଭାବେ ପରିଚିତ ଥିଲେ ରମାକାନ୍ତ ରଥ । ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ କବି ରମାକାନ୍ତ ରଥଙ୍କ ପରଲୋକ ହୋଇଛି ।
୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ । ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ ।
ଏହି ସମୟରେ ତାଙ୍କର କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ଋତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା ।
କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାରେ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁବାଦିତ ହୋଇଥିଲା । ୨୦୦୬ରେ ପଦ୍ମଭୂଷଣରେ ସମ୍ମାନୀତ ହୋଇଥିଲେ ରମାକାନ୍ତ ।