ଆସିଛି ରଙ୍ଗର ପର୍ବ ହୋଲି । ସାରା ଦୁନିଆ ପାଲଟିଛି ରଙ୍ଗ ରଙ୍ଗୋଲି । ହୋଲିକୁ ନେଇ ଏବେ ସବୁଠି ଉତ୍ସାହ ଏବଂ ଉତ୍ସବ । ଚାରିଆଡେ ରଙ୍ଗର ପର୍ବକୁ ନେଇ ଖୁସିର ପସରା । ହୋଲି ପାଇଁ ବଜାରରେ ଭଳି କି ଭଳି ରଙ୍ଗ ମିଳୁଥିବା ବେଳେ ସୁଗନ୍ଧିତ ଅବିର ଏବଂ ହର୍ବାଲ ରଙ୍ଗ ଲୋକଙ୍କର ପ୍ରଥମ ପସନ୍ଦ ପାଲଟୁଛି । ତାସହ ପରସ୍ପର ରଙ୍ଗ ଲଗାଇ ମିଠା ଖାଇ ଖୁସି ମନାଉଛନ୍ତି ।ଚାରିଆଡେ ରଙ୍ଗର ପର୍ବକୁ ନେଇ ଉତ୍ସାହ ଜମିଥିବା ବେଳେ ରାଜନୀତିରେ ରଙ୍ଗ ଲାଗିଛି, ରାଜନେତା ବି ରଙ୍ଗ ଖେଳିଛନ୍ତି । ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଫଗୁ ଖେଳିଛନ୍ତି ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ନିର୍ବାଚନ ମଣ୍ଡଳୀ ଯାଇ ଲୋକଙ୍କ ସହ ହୋଲି ଖେଳିଛନ୍ତି । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିଜ ନିର୍ବାଚନମଣ୍ଡଳୀରେ ହୋଲିରେ ସାମିଲ ହୋଇଛନ୍ତି ଆଉ ଏକ ପିଚକାରୀ ଧରି ହୋଲି ଖେଳୁଥିବା ନଜର ଆସିଛନ୍ତି । ସେହିପରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ରଙ୍ଗ ଖେଳିଛନ୍ତି । ଗୋରଖନାଥ ମନ୍ଦିରରେ ରଙ୍ଗର ପର୍ବ ହୋଲି ପାଳିଛନ୍ତି ଯୋଗୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବି ବାଜା ବଜାଇ ନିଜ ବାସଭବନରେ ହୋଲି ଖେଳିଛନ୍ତି ।ଅନ୍ୟପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପିଲାଙ୍କ ସହ ହୋଲି ପାଳିଥିବା ବେଳେ ମନୀଷ ସିସୋଦିଆ ଏବଂ ଦିଲ୍ଲୀ ମନ୍ତ୍ରୀ ପ୍ରବେଶ ବର୍ମା ମଧ୍ୟ ହୋଲି ପାଳିଛନ୍ତି ।