ପାକିସ୍ତାନରେ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ବହୁ ବର୍ଷର । ଅନେକ ବର୍ଷ ହେଲା ବେଲୁଚିସ୍ତାନ ନୂଆ ଦେଶ ପାଇଁ ଆନ୍ଦୋଳନ ଜାରି ରହିଛି ।ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ପାକିସ୍ତାନ ସରକାର ସମ୍ମୁଖରେ ତାଙ୍କର ଦାବି ରଖିଛି, ଯାହା ଅନୁସାରେ ପାକିସ୍ତାନୀ ଜେଲରେ ବନ୍ଦୀ ରହୁଥିବା ୨୪୧ ଜଣ ବଲୋଚ କଏଦୀଙ୍କୁ ମୁକ୍ତ କରିବାକୁ କୁହାଯାଇଛି।
ବିଏଲଏ ଚେତାବନୀ ଦେଇଛି ଯେ, ଯଦି ଏହି ଦାବି ପୂରଣ ହେବାରେ ବିଫଳ ହୁଏ, ତେବେ ସେମାନେ ପ୍ରତି ଘଣ୍ଟାରେ ୫ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବେ।
ଏହା ସହିତ, ବିଏଲଏ ଦାବି କରୁଛି ଯେ ସେମାନଙ୍କ ପାଖରେ ଏବେ ବି ୧୫୪ ଜଣ ଯାତ୍ରୀ ପଣବନ୍ଦୀ ଅଛନ୍ତି, ଯାହାର ତାଲିକା ସେମାନେ ପ୍ରକାଶ କରିଛନ୍ତି।
ଏହି ପରିସ୍ଥିତିରେ, ବିଏଲଏ ତାଙ୍କର ଦାବି ପୂରଣ ନହେଲେ ଆଗକୁ କଠୋର ପଦକ୍ଷେପ ନେବାର ଚେତାବନୀ ଦେଇଛି। ବିଏଲଏ ୨୭ ଜଣ ବନ୍ଧକ ଏବଂ ଜଣେ ସୈନିକଙ୍କୁ ହତ୍ୟା କରିଛି। ଉଦ୍ଧାର କାର୍ଯ୍ୟରେ ୩୫ ଜଣ ବାଲୁଚ ବିଦ୍ରୋହୀ ନିହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ପାକିସ୍ତାନ ରେଲଓ୍ବେଜର ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ ଅପହରଣ କରିନେଇଥିଲେ । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୫୦ ଯାତ୍ରୀ ଥିଲେ ।
ଜାଫର ଏକ୍ସପ୍ରେସ୍ ଟ୍ରେନ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏଭଳି କାପୁରୁଷତାପୂର୍ଣ୍ଣ କାର୍ଯ୍ୟ ପାକିସ୍ତାନର ଶାନ୍ତି ସଂକଳ୍ପକୁ ଦୁର୍ବଳ କରିବ ନାହିଁ। ନଓ୍ଵାଜ ସରିଫ୍ ଉଲ୍ଲେଖ କରିଛନ୍ତି ଯେ ସେ ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗଟିଙ୍କ ସହ କଥା ହୋଇଛନ୍ତି, ଯିଏ ତାଙ୍କୁ ଜଣାଇଛନ୍ତି ଯେ ବିଏଲଏ ଆତଙ୍କବାଦୀଙ୍କୁ ନର୍କକୁ ପଠାଯାଇଛି।