ରାଜଧାନୀରେ କେତେ ରହୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ ? କେଉଁ କେଉଁ ଅଂଚଳରେ ରହୁଛନ୍ତି । କଣ ସେମାନେ କରୁଛନ୍ତି ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି । ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶି ଗିରଫ ହେବା ପରେ ଏପରି ଚର୍ଚା ଆରମ୍ଭ ହୋଇଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ବିନା କୌଣସି ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଥିଲେ। ଗିରଫ ବାଂଲାଦେଶୀ ଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ରହିଛି ।
ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୭ ଟି ମୋବାଇଲ, ବଙ୍ଗଳାଦେଶ ଟଙ୍କା ସହ ଅନେକ୍ ସମାଗ୍ରୀ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିବା ସୂଚନା । ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଳୁରୁ ଯାଉଥିବା ବେଳେ ଧରିଲା ଏସଟିଏଫ । ଏମାନେ ବିନା ଭିସା ଓ ପାସପୋର୍ଟରେ ଭାରତରେ ପ୍ରବେଶ କରିଥିଲେ । ସେମାନେ ବାଂଲାଦେଶରୁ ଆସି ବିଭିନ୍ନ କାମ, ବ୍ୟବସାୟ କରୁଥିବା ଜଣାପଡ଼ୁଛି । ରାଜ୍ୟରେ କେତେ ବାଂଲାଦେଶୀ ବା ରୋହିଙ୍ଗା ଅଛନ୍ତି ତାହାର ସଠିକ ଖବର କାହା ପାଖରେ ନାହିଁ । ବିଶେଷ କରି ମିସ୍ତ୍ରୀ, ଫେରିବାଲା, ଛୋଟ ଛୋଟ ବ୍ୟବସାୟ କରୁଥିବା ଜଣାପଡ଼ିଛି ।
ପୋଲିସ ବିଭାଗ ପକ୍ଷରୁ ସମସ୍ତ ଥାନାଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି ସହରର ବିଭିନ୍ନ ବସ୍ତିରେ ଏମାନେ ରହୁଛନ୍ତି । ହଜାର ସଂଖ୍ୟାରେ ବଙ୍ଗାଳି ମିସ୍ତ୍ରୀ, ବ୍ୟବସାୟୀ ବହୁ ବର୍ଷ ଧରି ରହି ଏଠାରେ କାମ କରି ଆସୁଛନ୍ତି।
ବାଂଲାଦେଶୀ ବା ଅଣ ଭାରତୀୟଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି କୁହାଯାଉଛି । କିନ୍ତୁ ତାହା କେବଳ କାଗଜ କଲମରେ ହେଉଛି । ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଉନାହିଁ । ପଶ୍ଚିମବଙ୍ଗରୁ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ଫେରିବାଲାଙ୍କୁ ସ୍ଥାନୀୟ ଲୋକେ ବାଂଲାଦେଶୀ ସନ୍ଦେହ କରୁଛନ୍ତି ।