ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସୁନାର ବୃହତ ଭଣ୍ଡାର ଠାବ ହୋଇଥିବା ଚର୍ଚ୍ଚା ହେଉଛି । ସିନ୍ଧୁ ନଦୀ ଶଯ୍ୟାରେ ଠାବ କରାଯାଇଥିବା ସୁନା ଖଣିରେ 80 ହଜାର କୋଟି ଟଙ୍କାର ସୁନା ଗଚ୍ଛିତ ଥିବା ଆକଳନ କରାଯାଇଛି । ପଞ୍ଜାବ ପ୍ରଦେଶର ଆଟୋକ ଜିଲ୍ଲାରେ ସରକାରୀ ଏଜେନ୍ସି କରିଥିବା ସର୍ବେକ୍ଷଣରୁ ଏହି ଖଣି ଠାବ କରାଯାଇଛି। ସେଥିରୁ ସୁନା ଖନନ କରିବା ଲାଗି ପାକିସ୍ତାନ ସରକାର ଯୋଜନା କରୁଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଇଞ୍ଜିନିୟରିଂ ସର୍ଭିସେସ୍ ପାକିସ୍ତାନ ଓ ପଞ୍ଜାବର ଖଣି ବିଭାଗ ମିଳିତ ଭାବେ ସେହି ପ୍ରକଳ୍ପର ନେତୃତ୍ବ ନେବେ।
ଭୂତତ୍ତ୍ବବିତ୍ମାନେ କହିଛନ୍ତି ଯେ ଭାରତର ହିମାଳୟ ଅଞ୍ଚଳରୁ ସିନ୍ଧୁ ନଦୀରେ ପ୍ରବାହିତ ହୋଇ ସୁନାଗୁଡ଼ିକ ଆସିଛି। ଦେଶ ବିଭାଜନ ପରେ ସେହି ଅଞ୍ଚଳ ପାକିସ୍ତାନ ଭାଗରେ ପଡ଼ିଛି। ଯେହେତୁ ବହୁଦୂର ପର୍ଯ୍ୟନ୍ତ ସୁନା ଉପାଦାନଗୁଡ଼ିକ ପ୍ରବାହିତ ହୋଇ ଆସିଛି, ସେଥିପାଇଁ ସେଗୁଡ଼ିକ ଗୋଲାକାର କିମ୍ବା ଛୋଟ ଛୋଟ ଖଣ୍ଡରେ ଥିବା ଆଶା କରାଯାଉଛି। ପାକିସ୍ତାନ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଦେଶ ଚଳାଇବା ଲାଗି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଓ ବିଭିନ୍ନ ମିତ୍ର ଦେଶର ସହଯୋଗ ଲୋଡ଼ୁଛନ୍ତି। ଯଦି ସୁନା ଖଣିରୁ ଉତ୍ତୋଳନ ସମ୍ଭବ ହେବ, ତେବେ ପାକିସ୍ତାନ ସରକାରଙ୍କ ଏକ ବଡ଼ ମୁଣ୍ଡବ୍ୟଥା ଦୂର ହେବ।