ଅଷ୍ଟ୍ରେଲିଆ କିମ୍ବଦନ୍ତ୍ରୀ କ୍ରିକେଟର ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଦିନିକିଆରେ ସ୍ମିଥଙ୍କ ନାମରେ ଅନେକ ରେକର୍ଡ଼ ରହିଛି । ଅଷ୍ଟ୍ରେଲିଆର ଅଧିନାୟକ ଭାବରେ ସେ ନିଜକୁ ପ୍ରମାଣିତ କରିଛନ୍ତି । କିନ୍ତୁ ଲେବ ସେ ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି । ଭାରତ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି 2025 ସେମିଫାଇନାଲ ପରାଜୟ ପରେ ସ୍ମିଥ ଏହି ଘୋଷଣା କରିଛନ୍ତି । ଏବେ ଆଲୋଚନା ହେଉଛି କେବଳ ସେମିଫାଇନାଲ ପରାଜୟ ନା ଆଉ କିଛି କାରଣ ସ୍ମିଥ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ।
ତେବେ ଦିନିକିଆରୁ ଅବସର ନେବା ପରେ ପ୍ରତିକ୍ରିୟା ଦେଇ ସ୍ମିଥ୍ କହିଛନ୍ତି ଯେ ସେ ଦିନିକିଆ କ୍ରିକେଟ୍ କ୍ୟାରିୟରରେ ଅନେକ ଭଲ ମୂହୁର୍ତ୍ତ ସାଉଁଟିଛନ୍ତି । କିନ୍ତୁ ହଠାତ୍ କାହିଁକି ଅବସର ନେଲେ ସେ ବିଷୟରେ ସେ କିଛି ସ୍ପଷ୍ଟ ଭାବରେ କହି ନାହାନ୍ତି । ସ୍ମିଥ୍ କହିଥିଲେ ଯେ, ସେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହାଁନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ଅନୁଯାୟୀ, ସ୍ମିଥ୍ କହିଛନ୍ତି ଯେ, ଏବେ ଅନ୍ୟ ଯୁବ ଖେଳାଳିଙ୍କ ପାଖରେ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବାର ଏକ ଭଲ ସୁଯୋଗ ରହିଛି ।
ଭାରତ ବିପକ୍ଷ ପରାଜୟକୁ ଭୁଲିଯିବା ସ୍ମିଥଙ୍କ ପାଇଁ ସହଜ ହେବ ନାହିଁ । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚିଥିଲା । କିନ୍ତୁ ଏଠାରେ ଦଳକୁ ୪ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଲା । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍ ୪ଟି ଚୌକା ଏବଂ ୧ ଛକା ସହିତ ଦଳ ପାଇଁ ବହୁମୂଲ୍ୟ ୭୩ ରନ୍ ଯୋଡ଼ିଥିଲେ । ଆଫଗାନିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍ରେ ସ୍ମିଥ୍ କେବଳ ୧୯ ରନ୍ କରିପାରିଥିଲେ । ସେ ଇଂଲଣ୍ଡ ବିପକ୍ଷରେ କେବଳ ୫ ରନ୍ ହିଁ କରି ପାରିଥିଲେ ।
ଯଦି ସ୍ମିଥଙ୍କ ପୂର୍ବ ଇନିଂସ ଉପରେ ନଜର ପକାଇବା, ତେବେ ସେ ପ୍ରାୟ ଅଢ଼େଇ ବର୍ଷ ଧରି ଦିନିକିଆରେ ଶତକ ମାରିପାରି ନାହାଁନ୍ତି । ସ୍ମିଥ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କର ଶେଷ ଏକଦିବସୀୟ ଶତକ ହାସଲ କରିଥିଲେ । ୨୦୨୨ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୫ ରନର ଏକ ଇନିଂସ ଖେଳିଥିଲେ । ଏକଦିବସୀୟ କ୍ୟାରିୟରରେ କେବଳ ୧୨ଟି ଶତକ ମାରିଛନ୍ତି । ୩୫ଟି ଅର୍ଦ୍ଧଶତକ ବି ହାସଲ କରିଛନ୍ତି ସ୍ମିଥ୍ ।