ଖଣି ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କ୍ରିଟିକେଲ ମିନେରାଲ ମଧ୍ୟ ରହିଛି । ଗ୍ରାଫାଇଟ , ନିକେଲ କ୍ରୋମିୟମ ଆଦି ଓଡ଼ିଶା ମାଟି ତଳେ ରହିଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ସେଗୁଡ଼ିକର ସନ୍ଧାନ କରୁଛି । ଖୁବଶୀଘ୍ର ଗ୍ରାଫାଇଟର ସନ୍ଧାନ ମିଳିବ ବୋଲି ଜିଏସଆଇର ଉପ ମହାନିର୍ଦେଶକ ପଙ୍କଜ କୁମାର କହିଛନ୍ତି । ଶ୍ରୀ କୁମାର କହିଛନ୍ତି ଯେ କେନ୍ଦୁଝର , ସୁନ୍ଦରଗଡ଼ ଓ ମୟୁଭଞ୍ଜ ଜିଲ୍ଲାରେ ଜିଏସଆଇ ବହୁତ କାମ କରୁଛି । ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ କ୍ରିଟିକାଲ୍ ମିନେରାଲ୍ ସନ୍ଧାନ କରିବା ଉପରେ ଜୋର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ଯଦିଓ କିଛି ଠୋସ୍ ସନ୍ଧାନ ମିଳିନାହିଁ, କିନ୍ତୁ ଖୁବ୍ଶୀଘ୍ର ଗ୍ରାଫାଇଟ୍ ମିଳିଯିବ ବୋଲି ଆମେ ଆଶା କରୁଛୁ ବୋଲି ସେ କହିଛନ୍ତି। ଓଡ଼ିଶା ଏହାର କୋଇଲା, ଲୁହାପଥର, ମାଙ୍ଗାନିଜ ଭଳି ଖଣିଜ ପଦାର୍ଥ ଲାଗି ଯେଭଳି ପରିଚିତ, ଆଗାମୀ ଦିନରେ କ୍ରିଟିକାଲ୍ ମିନେରାଲ୍ କ୍ଷେତ୍ରରେ ମଧ୍ୟ ସେଭଳି ପ୍ରତିଷ୍ଠା ହାସଲ କରିବାର ପ୍ରବଳ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ରାଜ୍ୟରେ ଭୂପୃଷ୍ଠର ସ୍ଥିତି ସେଭଳି କିଛି ରହିଥିବା ସେ ଜଣାଇଛନ୍ତି।
ଗ୍ରାଫାଇଟ୍କୁ ଏକ କ୍ରିଟିକାଲ୍ ମିନେରାଲ୍ ଭାବେ ବିଚାର କରାଯାଉଛି ଯାହା ବର୍ତ୍ତମାନ ସମୟରେ ଇଲେକ୍ଟ୍ରିକ୍ ଯାନର ବ୍ୟାଟେରିରେ ବ୍ୟବହାର ହେଉଛି। ଏହା ବ୍ୟତୀତ ଇସ୍ପାତ ଉତ୍ପାଦନ, ବ୍ରେକ୍ ଲାଇନିଂ, ଲୁବ୍ରିକ୍ୟାଣ୍ଟ ଓ ଆଣବିକ ରିଆକ୍ଟରରେ ମଧ୍ୟ ତାହା ବ୍ୟବହାର ହେଉଛି। ଗ୍ରାଫାଇଟ୍ର ସନ୍ଧାନ ମିଳିଲେ ରାଜ୍ୟ ଅର୍ଥନୀତି ବିଶେଷ ଭାବେ ଉପକୃତ ହୋଇପାରିବ।
କେନ୍ଦୁଝର ଜିଲ୍ଲାରେ ମିଳିଥିବା ସୁନା ଖଣି ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି ଯେ ମାଟିତଳେ କୌଣସି ଖଣିଜ ପଦାର୍ଥ ଅଛି ନା ନାହିଁ, ତାହା ସ୍ପଷ୍ଟ ଭାବେ କହିବା ପୂର୍ବରୁ ବହୁ ପ୍ରକ୍ରିୟା ଦେଇ ଗତି କରିବାକୁ ହୁଏ। ପ୍ରଥମେ ଜି୪ ସ୍ତର ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼େ ଓ ତା’ ପରେ ଡ୍ରିଲିଂ ଆରମ୍ଭ ହୋଇଥାଏ। କେନ୍ଦୁଝରରେ ଏବେ ଡ୍ରିଲିଂ କାମ ଚାଲିଛି। ସେଥିରୁ ପଥରଗୁଡ଼ିକୁ ହଟାଇବା ପରେ ଯାହା କିଛି ମିଳିବ, ତାହାକୁ ଅନୁଧ୍ୟାନ କରାଯିବ। ତା’ପରେ ସେଠାରେ ସୁନା ଅଛି ନା ନାହିଁ, ଯଦି ଅଛି କେତେ ପରିମାଣର ଅଛି, ତାହା କହିହେବ ବୋଲି ସେ କହିଛନ୍ତି।