ଆଜି ଚଳିତ ଚାମ୍ପିଆନ୍ସ ଟ୍ରଫିର 2ୟ ସେମିଫାଇନାଲ ଖେଳାଯିବା । ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଏହି ଦୁଇ ଦଳ ଚାମ୍ପିଆନସ ଟ୍ରଫିର ପ୍ରଥମ 2 ଟି ସଂସ୍କରଣର ବିଜେତା । 1998 ରେ ପ୍ରଥମ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଚମ୍ପିଆନ୍ସ ହୋଇଥିଲା । ଏହା ଥିଲା ଦକ୍ଷିଣ ଆଫ୍ରିକାର ପ୍ରଥମ ତଥା ଏକମାତ୍ର ଆଇସିସି ଟାଇଟଲ । ୨୦୦୦ରେ ୨ୟ ସଂସ୍କରଣରେ ଭାରତକୁ ପରାସ୍ତକରି ନ୍ୟୁଜିଲାଣ୍ଡ ଏକମାତ୍ର ଚମ୍ପିଆନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଅଦ୍ୟାବଧି ପ୍ରଦର୍ଶନକୁ ଦେଖିଲେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟେର ବେଶି ଫରକ ନାହିଁ। ପେସ୍ ବୋଲିଂରେ ଉଭୟ ଦଳ ବେଶ୍ ଶକ୍ତିଶାଳୀ। ଉଭୟ ଦଳରେ ଜଣେ ଲେଖାଏଁ ଶ୍ରେଷ୍ଠ ବାମହାତି ସ୍ପିନର ଅଛନ୍ତି। ତେଣୁ ସେମାନଙ୍କ ମଧ୍ୟରୁ ବିଜେତା ବାଛିବା କଷ୍ଟକର। ଭାରତ ଓ ଅଷ୍ଟ୍ରେଲିଆ ପରି ଦକ୍ଷିଣ ଆଫ୍ରିକା ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଅଦ୍ୟାବଧି ଗୋଟିଏ ମଧ୍ୟ ମ୍ୟାଚ୍ ହାରିନାହିଁ। ଏହା ଉଭୟ ମ୍ୟାଚ୍ ବଡ଼ ବ୍ୟବଧାନରେ ଜିତିପାରିଛି। ଶେଷ ଲିଗ୍ ମ୍ୟାଚ୍ରେ ଇଂଲଣ୍ଡକୁ ମାତ୍ର ୧୭୯ ରନ୍ରେ ଅଲ୍ଆଉଟ୍ କରି ଜିତିବା ଯୋଗୁଁ ଦକ୍ଷିଣ ଆଫ୍ରିକା ଦଳର ମନୋବଳ ଦୃଢ଼ ଅଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଶେଷ ଲିଗ୍ ମ୍ୟାଚ୍ରେ ଭାରତୀୟ ସ୍ପିନରଙ୍କ ମୁକାବିଲା କରିନପାରି ପରାସ୍ତ ହୋଇଛି। ତେଣୁ ଫର୍ମ ମାମଲାରେ ଦକ୍ଷିଣ ଆଫ୍ରିକା ଆଗୁଆ ରହିଛି। ଅଲ୍ରାଉଣ୍ଡ ସଫଳତା ଯୋଗୁଁ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ରେ ବଡ଼ ଫେଭରିଟ୍। ଭାରତ ବିପକ୍ଷରେ ସେମିଫାଇନାଲ ଖେଳିବା ସମ୍ଭାବନା ଥିବାରୁ ଦୁବାଇରେ ଅଭ୍ୟାସ କରୁଥିଲା ଦକ୍ଷିଣ ଆଫ୍ରିକା। ସେଠାରୁ ଲାହୋରକୁ ଫେରି ନ୍ୟୁଜିଲାଣ୍ଡର ମୁକାବିଲା କରିବାକୁ ଯାଉଛି। ସୂଚନାଯୋଗ୍ୟ; ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ଖେଳା ଯାଇଥିବା ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ। ତେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଦୁଇ ଏପରି ଦଳ; ଯାହା ବିଶ୍ବକପ୍ ଜିତିନାହାନ୍ତି। ତେଣୁ ଚମ୍ପିଆନ୍ସ ଟ୍ରଫି ଜିତିବା ଉଭୟ ଦଳଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଲାହୋର ପିଚ୍ରେ ଅଧିକ ରନ୍ ହେବା ନିଶ୍ଚିତ। ତେବେ ଆରମ୍ଭରୁ ଏହି ପିଚ୍ରୁ ବାଉନ୍ସ ମିଳିବ। ଫଳରେ ନ୍ୟୁଜିଲାଣ୍ଡର କାଏଲ୍ ଜେମିସନ୍ ଓ ଦକ୍ଷିଣ ଆଫ୍ରିକାର ମାର୍କୋ ୟାନ୍ସେନଙ୍କ ମୁକାବିଲା କରିବା କଷ୍ଟକର ହୋଇପାରେ। କାଗିସୋ ରବାଡା ଓ ପ୍ରତିପକ୍ଷର ମ୍ୟାଟ୍ ହେନ୍ରି ହେଉଛନ୍ତି ଦଳର ମୁଖ୍ୟ ୱିକେଟ୍ ହାସଲକାରୀ। କେଶବ ମହାରାଜ ଓ ମିଚେଲ ସାଣ୍ଟ୍ନର ପ୍ରତିପକ୍ଷର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି। ଭାରତ ବିପକ୍ଷରେ ସ୍ପିନରଙ୍କ ସଫଳ ମୁକାବିଲା କରିଥିଲେ କେନ୍ ୱିଲିୟମ୍ସନ। ତେଣୁ ନ୍ୟୁଜିଲାଣ୍ଡ ଆଶାକରିବ ଯେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ମଧ୍ୟକ୍ରମ ସମ୍ଭାଳନ୍ତୁ। ଆବଶ୍ୟକ ବେଳେ ଡେଭିଡ୍ ମିଲର ଦକ୍ଷିଣ ଆଫ୍ରିକା ପାଇଁ ବଡ଼ ଇନିଂସ ଖେଳିଥାଆନ୍ତି। ଭାରତଠାରୁ ହାରିଥିବା ନ୍ୟୁଜିଲାଣ୍ଡ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିପାରେ। ତେବେ ନିୟମିତ ବିଫଳ ହୋଇଥିବା ଡ୍ୟାରିଲ ମିଚେଲଙ୍କ ସ୍ଥାନରେ ଡେଭନ୍ କନ୍ୱେଙ୍କୁ ଖେଳାଇବା କଥା ନ୍ୟୁଜିଲାଣ୍ଡ ଚିନ୍ତା କରିପାରେ। ହେନ୍ରିକ କ୍ଲାସେନ୍ ଫର୍ମକୁ ଫେରିବା ଦକ୍ଷିଣ ଆଫ୍ରିକାକୁ ଉତ୍ସାହିତ କରିଛି। ପୁଣି ସୁସ୍ଥହେବା ପରେ ଅଧିନାୟକ ତେମ୍ବା ବଭୁମା ଏହି ମ୍ୟାଚ୍ ଖେଳିବେ।