ବହୁ ସ୍ବପ୍ନ ନେଇ ଚାକିରି ପାଇଁ ଆସିଥିଲେ । ହେଲେ ତା ଆଗରୁ ଜୀବନ ଚାଲିଗଲା । ଏବେ ପରିବାର ଚିନ୍ତାରେ । ଯେଉଁ ପୁଅ ଘରର ଦାୟିତ୍ବ ନେଇଥାନ୍ତା ଏବେ ସେ ଅଧାବାଟରୁ ସମସ୍ତଙ୍କୁ ଛାଡି ଚାଲିଗଲା ।
ଏପରି ଘଟଣା ଘଟିଛି ରାଜ୍ୟରେ ବିଭିନ୍ନ ସ୍ଥାନରେ ଫରେଷ୍ଟର ଗାର୍ଡ଼ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ । କେନ୍ଦୁଝରର ବ୍ୟାମକେଶ ନାୟକ ଓ ସୁନ୍ଦରଗଡ଼ର ପ୍ରବୀଣ କୁମାର ପଣ୍ଡାଙ୍କ ଦେହାନ୍ତ ହୋଇଛି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଏହି ଦୁଇ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ।
ପ୍ରବୀଣ କୁମାର ପଣ୍ଡା ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରିଥିଲେ। ଭବାନିପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିବା ବେଳେ ସୁନ୍ଦରଗଡ଼ ସଦର ଥାନା କିରେଇ ନିକଟରେ ସେ ଅଚେତ ହୋଇପଡ଼ିଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।