ମାତ୍ର ୧୬ ମାସର ଜନ୍ମେଶ ନିଜର କିଡନୀ ଓ ଲିଭର ଦେଇ ୨ ଟି ରୋଗୀଙ୍କୁ ନୂଆ ଜୀବନ ଦାନ ଦେଇ ଆରପାରିକୁ ଚାଲିଯାଇଛନ୍ତି । ଅନ୍ୟପଟେ ଏମସ(AIIMS) ବିରଳ ଅସ୍ତ୍ରୋପଚାର କରି ରାଜ୍ୟରେ ଏନ-ବ୍ଲକ୍ ବୃକକ୍ ପ୍ରତିରୋପଣର ଦ୍ୱିତୀୟ ଉଦାହରଣ ସୃଷ୍ଟି କରିଛି ।
ମାତ୍ର ୧୬ ମାସର ଶିଶୁ ଜନ୍ମେଶ ଲେଙ୍କା, ଗତ ମାସ ୧୨ ତାରିଖରେ ଭୁବନେଶ୍ୱର ଏମ୍ସର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ । ଫରେନ୍ ବଡି ଆସ୍ପିରେସନ୍ ଆଣ୍ଡ୍ ଚୋକିଂ(ଶ୍ବାସକ୍ଳାନ୍ତ) ରୋଗରେ ପୀଡ଼ିତ ହୋଇ ଜନ୍ମେଶ ଡାକ୍ତର କୃଷ୍ଣ ମୋହନ ଗୁଲ୍ଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଥିଲେ ।
ତୁରନ୍ତ କାର୍ଡିଓପୁଲମୋନାରୀ ରିସସଟେସନ (ସିପିଆର) ଦିଆଯାଇଥିଲା ଏବଂ ପରବର୍ତ୍ତୀ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ମାତ୍ର ଅକ୍ଳାନ୍ତ ପ୍ରୟାସ ସତ୍ତ୍ୱେ, ଚଳିତ ମାସ ଏକ ତାରିଖରେ ଜନ୍ମେଶଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା ।