ଫଗୁଣ ମାସ ଅଧା ହୋଇନାହିଁ , ତାତି ଛୁଇଁଲାଣି ଶିଖର। ଶନିବାର ପଶ୍ଚିମ ଓଡ଼ିଶାରେ ତାପମାତ୍ରା 38 ଡ଼ିଗ୍ରୀ ଟପିଥିବା ବେଳେ ରାଜ୍ୟର 11 ସହର ତାପମାତ୍ରା 37 ଡ଼ିଗ୍ରୀ ଅତିକ୍ରମ କରିଛି । ଏପରି ଅବସ୍ଥାରେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହେବା ବୋଲି କୁହାଯାଉଛି । ଚଳିତ ବର୍ଷ ପ୍ରଚଣ୍ଡ ତାତି ଓ ପ୍ରବଳ ଗରମ ଅନୁଭବ ହେବା ବୋଲତ ଆଇଏମଡ଼ି ପୂର୍ବାନୁମାନ କରିବା ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଶନିବାର 38.5 ଡ଼ିଗ୍ରି ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଝାରସୁଗୁଡ଼ାରେ ତାପମାତ୍ରା 38.2 ଡ଼ିଗ୍ରୀ ଓ ବଲାଙ୍ଗିରରେ ଏହା 38 ଡ଼ିଗ୍ରୀ ରେକର୍ଡ଼ ହେବା ପରେ ଲୋକମାନେ ଖରେ ଓ ତାତିକୁ ନେଇ ଉଦବେଶ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାର ଖ୍ୟାତାନାମା ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ ଆଇଏମ୍ଡି ରିପୋର୍ଟକୁ ଗ୍ରହଣ କରିନାହାନ୍ତି। ଚଳିତ ବର୍ଷ ବିଶେଷ ଖରା ଗରମ ଅନୁଭୂତ ହେବ ନାହିଁ ବୋଲି କହିଛନ୍ତି। ଖରା ସ୍ଥିତିକୁ ନେଇ ଆଇଏମ୍ଡି ଓ ପ୍ରଫେସର ପଶୁପାଳକଙ୍କ ଆକଳନ ଭିନ୍ନ ଭିନ୍ନ ମତ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରିଛି ।
ପ୍ରଫେସର ପଶୁପାଳକ କହିଛନ୍ତି ଯେ ଚଳିତ ବର୍ଷ ବିଶ୍ୱର ଅଧିକାଂଶ ସ୍ଥାନ ସମେତ ଉତ୍ତର ଭାରତରେ ପ୍ରଚଣ୍ଡ ଗରମ ହେବ। ଗତ ବର୍ଷ ବିଶ୍ୱସ୍ତରରେ ସବୁଠୁ ଉତ୍ତପ୍ତ ବର୍ଷ ରେକର୍ଡ ହୋଇଥିଲା। ଚଳିତ ବର୍ଷ ତାପମାତ୍ରା ସାମାନ୍ୟ କମି ଦ୍ୱିତୀୟ ବା ତୃତୀୟ ଉତ୍ତପ୍ତ ବର୍ଷ ହୋଇପାରେ। ଉତ୍ତର ଭାରତରେ ବିଶେଷ କରି ଉତ୍ତରପଶ୍ଚିମ ଭାରତରେ ଗରମ ସ୍ୱାଭାବିକଠାରୁ ଅଧିକ ରହିବାକୁ ଥିବା ବେଳେ ଓଡ଼ିଶା ଓ ଦକ୍ଷିଣ ଭାରତରେ ଗରମ ସ୍ୱାଭାବିକଠାରୁ କମ୍ ରହିପାରେ। ଗତ ଫେବୃଆରୀ ମାସରେ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଦୁର୍ବଳ ଲା-ନିନା ରହିଥିଲା। ମାର୍ଚ୍ଚରେ ଏହା ସ୍ୱାଭାବିକ ସ୍ଥିତିକୁ ଆସିବା ସହ ଜୁଲାଇ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ରାଜ୍ୟରେ ମାର୍ଚ୍ଚ ମାସରେ ଗରମ ସ୍ୱାଭାବିକଠାରୁ ଅଧିକ ରହିବାର ୪୦ ପ୍ରତିଶତ ସମ୍ଭାବନା ରହିଛି। ତେବେ ଏପ୍ରିଲ୍ ଓ ଜୁନ୍ରେ ଏହା ସ୍ୱାଭାବିକ ରହିବା ସହ ମେ’ ମାସରେ ଗରମ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ୍ ରହିପାରେ। ରାଜ୍ୟରେ ମଝିରେ ମଝିରେ କାଳବୈଶାଖୀ ବର୍ଷା ଆଶଙ୍କା ଥିବାରୁ ଗରମ କମିପାରେ।