ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ମଣିପୁରର ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ସହ ମାର୍ଚ୍ଚ 8 ତାରିଖରୁ ରାଜ୍ୟର ସମସ୍ତ ମାର୍ଗରେ ଲୋକଙ୍କ ଅବାଧ ଗମନାଗମନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆଦିଲ୍ଲୀରେ ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ଉପସ୍ଥିତିରେ ସୁରକ୍ଷା ସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା ରାସ୍ତାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମଣିପୁରର ଅନ୍ତର୍ଜାତୀୟ ସୀମାରେ ନିର୍ଦ୍ଧାରିତ ପ୍ରବେଶ ପଥର ଉଭୟ ପାର୍ଶ୍ୱରେ ବାଡ଼ କାମ ଯଥାଶୀଘ୍ର ଶେଷ କରିବାକୁ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ମଣିପୁରକୁ ନିଶାମୁକ୍ତ କରିବାକୁ ହେଲେ ନିଶା କାରବାର ସହ ଜଡ଼ିତ ସମଗ୍ର ନେଟୱାର୍କକୁ ଉଚ୍ଛେଦ କରାଯିବା ଦରକାର ବୋଲି ସେ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି ଯେ ମଣିପୁରରେ ସ୍ଥାୟୀ ଶାନ୍ତି ଫେରାଇ ଆଣିବା ପାଇଁ ନରେନ୍ଦ୍ର ମୋଦି ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି।
ବୈଠକରେ ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ତପନ କୁମାର ଡେକାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗତ ମାସରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏହା ହେଉଛି ପ୍ରଥମ ବୈଠକ।