ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି । ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି । କେବଳ ଦିନ ନୁହେିଁ । ରାତିରେ ମଧ୍ୟ ତାତିରେ ତାଉ କମିବ ନାହିଁ । ଏହି ସ୍ଥିତି ମାର୍ଚ୍ଚରୁ ଆରମ୍ଭ ହୋଇ ମେ ପର୍ଯ୍ୟନ୍ତ ଜାରି ରହିବ । ଅନ୍ୟପଟେ ସ୍ବାଭାବିକ ତୁଳନାରେ ଅଧିକାଂଶ ସମୟରେ ତାପମାତ୍ରା ଅଧିକ ରହିବା ଯୋଗୁଁ ଏଥର ଗ୍ରାଷ୍ମ ଲହରୀ ଦିନ ସଂଖ୍ୟା ବୃଦ୍ଧି ପାଇବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯିବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢିଛି । ବିଭାଗ ପକ୍ଷରୁ ଗ୍ରାଷ୍ମ ଋତୁ ସମ୍ପର୍କିତ ପୂର୍ବାନୁମାନ ନେଇ ଜାରି ରିପୋର୍ଟରେ ଦର୍ଶାଯାଇଛି ଯେ ଏବର୍ଷ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ରାଜ୍ୟ ସମେତ ସାରା ଦେଶର ତାତି ଅଧିକ ରହିବ । ଉଭୟ ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ। ଏହା ପ୍ରଭାବରେ ଗ୍ରୀଷ୍ମଲହରୀ ଦିନ ସଂଖ୍ୟା ବୃଦ୍ଧି ହେବ।
ଏମିତିକି, ମାର୍ଚ୍ଚରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ୍ନ ହେବ। ଯଦିଓ ରାଜ୍ୟରେ ମାର୍ଚ୍ଚ ମାସରେ କିଛି କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି, ମାତ୍ର ଏହା ଖରାକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହେବ। ଗତବର୍ଷ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିଲା। ଏପ୍ରିଲ୍ରେ ଓଡ଼ିଶାରେ ଅନୁଭୂତ ହୋଇଥିବା ଗ୍ରୀଷ୍ମ ଲହରୀ ସଂଖ୍ୟା ସାରା ଦେଶରେ ଅଧିକ ରହିଥିଲା। ଏପ୍ରିଲ୍ରେ ଲଗାତାର ୧୯ ଦିନ ଗ୍ରୀଷ୍ମ ଲହରୀ ସ୍ଥିତି ଅନୁଭୂତ ହେବା ସହ ରାତିରେ ମଧ୍ୟ ଲୋକେ ନାହିଁ ନ ଥିବା ସ୍ଥିତିର ସମ୍ମୁଖୀନ ହୋଇଥିଲେ। ୨୦୨୪ରେ ୮ଟି ରାତି ଏମିତି ଥିଲା, ଯେଉଁ ସମୟରେ ରାତିର ସ୍ୱାଭାବିକ ତାପମାତ୍ରା ୬.୪ ଡିଗ୍ରୀରୁ ଅଧିକ ରହିଥିଲା। ଏହାକୁ ଅସହଜ ରାତି ଭାବେ ବିବେଚନା କରାଯାଇଛି। ବର୍ଷ ୨୦୨୫ରେ ରାଜ୍ୟରେ ପାଣିପାଗ ସ୍ଥିତି ଗତବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଇଥିଲା। ମାତ୍ର ଏବେ ଆଇଏମଡିର ଏହି ଆକଳନ ପରେ ପୁଣିଥରେ ଖରାକୁ ନେଇ ଭୟ ସୃଷ୍ଟି କରିଛି।