ଆଜି ବିଜ୍ଞାନ ପରୀକ୍ଷା ଦେଇଛନ୍ତି ଦଶମ ଛାତ୍ରୀଛାତ୍ରୀ । ତେବେ ପ୍ରଶ୍ନ ପତ୍ରରେ କିଛି ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
21 ତାରିଖ ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାରେ ଆଜି ବିଜ୍ଞାନ ବିଷୟ ହୋଇଛି । କପି ରୋକିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରୀକ୍ଷା ସୁପରିଚାଳନା ଲାଗି ଏଥର ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ଥର ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ରାଜ୍ୟରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।।
ପ୍ରଶ୍ନପତ୍ର ଲିକ୍ ରୋକିବା ନିମନ୍ତେ ବିଶେଷ ଧ୍ୟାନ ଦିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ଓ କ୍ୟୁଆର କୋଡ୍ ବ୍ୟବସ୍ଥା କରାଯାଇଛି। ଫଳରେ ପ୍ରଶ୍ନପତ୍ର ଭାଇରାଲ ହେଲେ ଏହା କେଉଁ ସେଣ୍ଟରରୁ ଲିକ୍ ହୋଇଛି ତାହା ଜଣାପଡ଼ିଯିବ।