ଦହିବରା ନାଁ ଯେମିତି ସ୍ବାଦ ବି ସେମିତି । ନାଁ ଶୁଣିଲେ ପାଟିରେ ଆସିଯାଏ ପାଣି । ଦହିବରା ଉପରେ ଆଳୁଦମ ତା ଉପରେ ଘୁଘୁନି ଆଉ ତା ଉପରେ ଗୁଣ୍ଡ ଗୁଣ୍ଡ ପିଆଜ ସାଙ୍ଗକୁ ସେଓ ଆଉ ଟିକେ ଦହି । ଓଃ କି ସ୍ବାଦିଷ୍ଟ ପେଟ ପୂରା ଶାନ୍ତି ସକାଳ ହେଉ କି ସନ୍ଧ୍ୟା ଦହିବରା ଟିକେ ନହେଲେ ମନ ମାନେନା । ଦହିବରା ଖାଇସାରିଲା ପରେ ଦହିପାଣି ଆଉ ସେଓ ଖାଇବାର ମଜା ହିଁ କିଛି ଅଲଗା ।
ଓଡିଆ ଲୋକଙ୍କ ଭାରି ପ୍ରିୟ ଦହିବରା ଆଳୁଦମ । ହେଲେ କଟକ ଦହିବରା ଆଳୁଦମର ସ୍ୱାଦ ଭାରି ନିଆରା । ଯିଏ ଖାଇଛି ସିଏ ଜାଣିଛି । ଆଜି ମାର୍ଚ୍ଚ 1 ବିଶ୍ୱ ଦହିବରା ଆଳୁଦମ ଦିବସରେ ଆସନ୍ତୁ ଖାଇବା ଦହିଭିଜା ଦହିବରା, ଆଳୁ କଷା ସାଙ୍ଗକୁ ଗରମ ଗରମ ଘୁଘୁନି । କଟକର ପ୍ରତି ଗଳି କନ୍ଦିରେ ଆପଣ ଦହିବରା ପାଇପାରିବେ । ସକାଳଠାରୁ ଆରମ୍ଭ ହୋଇ ସନ୍ଧ୍ୟା ଯାଏଁ ଆପଣଙ୍କୁ ଏଠି ଦହିବରା ମିଳିବ । କହିବାକୁ ଗଲେ କଟକିଆଙ୍କ ଦିନ ଆରମ୍ଭ ହୁଏ ଦହିବରାରେ ଆଉ ଶେଷ ବି ହୁଏ ଦହିବରାରେ ।
ସେଥିପାଇଁ ତ ସବୁ କଟକିଆ ସକାଳୁ ଉଠି ଚାଲି ଆସନ୍ତି ବୋଷ କଲେଜ ପାଖ ରଙ୍କ ଦହିବରା ଖାଇବାକୁ । ନହେଲେ ସନ୍ଧ୍ୟା ହେଲେ ସୁଲୁସୁଲିଆ ପବନ ଖାଇ କେତେବେଳେ କୃଷକ ବଜାରର ବାବୁଲା ଦହିବରା ଆଡେ ମାଡି ଯାଆନ୍ତି ତ ଆଉ କେତେବେଳେ ବିଡାନାସିର ରଘୁ ଦହିବରା ନହେଲେ କେତେବେଳେ କନିକା ଛକର ତ୍ରିନାଥ ଦହିବରା ।
ଏଠି ଦଶହରା ହେଉ କି ବାଲିଯାତ୍ରା କଟକିଆ ଦହିବରା ଖାଇବାକୁ ଭୁଲନ୍ତି ନାହିଁ । କେବଳ ପର୍ବ ନୁହେଁ ସକାଳ ଜଳଖିଆ, ସନ୍ଧ୍ୟା ଜଳିଖିଆରେ ବି ଦହିବରା କଟକିଆଙ୍କ ମୁଖ୍ୟ ଖାଦ୍ୟ । ପେଟେ ଖାଇଦେଲେ ଦିନ ଯାକ ଭାତ ବି ଖାଇବାକୁ ଇଚ୍ଛା ହୁଏନି ।
କଟକର ଗଳି କନ୍ଦିରୁ ବାହାରି ସାରା ବିଶ୍ୱସ୍ତରରେ ପ୍ରତିଟି ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ । ବିଦେଶରେ ରହିଲେ ବି ଓଡିଆ ଲୋକ ଦହିବରା ଆଳୁଦମର ସ୍ୱାଦକୁ କେବେ ଭୁଲି ନାହାନ୍ତି । କଟକର ଦହିବରା ଆଳୁଦମ ବିଶ୍ୱ ପ୍ରସିଦ୍ଧ । ଦହିବରା ଆଳୁଦମ କହିଲେ କଟକ ଆଉ କଟକ କହିଲେ ଦହିବରା ଆଳୁଦମକୁ ବୁଝାଏ । ସୁସ୍ବାଦୁ ଦହିବରା ଆଳୁଦମ ବିକ୍ରିରେ କଟକ କେଉଁ କାଳରୁ ପ୍ରସିଦ୍ଧି ଲାଭ କରିଛି ।