ଓଲିଉଡ଼ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଅଶ୍ରୁଳ ଓ ଶୋକାକୂଳ ପରିବେଶ ମଧ୍ୟରେ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ସ୍ବର୍ଗତଃ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି । ମରଶରୀରରେ ତାଙ୍କର ସୁପୁତ୍ର ବାବୁସାନ ମହାନ୍ତି ମୁଖାଗ୍ନି ଦେଇଥିଲେ । ଏହି ଶୋକାକୂଳ ପରିବେଶରେ ଉତ୍ତମ ମହାନ୍ତିଙ୍କ ସଂପର୍କୀୟ ପ୍ରଶଂସକ ଶୁଭେଚ୍ଛୁ ଆଦି ଉପସ୍ଥିତ ଥିଲେ । ଅନ୍ତିମ ସଂସ୍କାର ପୂର୍ବରୁ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା। ଉତ୍ତମଙ୍କ ବିୟୋଗରେ ଓଲିଉଡ୍ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।
ଆଜି ପୂର୍ବାହ୍ଣରେ ତାଙ୍କର ମରଶରୀର ଦିଲ୍ଲୀରୁ ବାହାରୁ ଦିନ ପ୍ରାୟ ୧୧ଟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ଥିଲା। ବିମାନବନ୍ଦରରୁ ମରଶରୀରକୁ ତାଙ୍କର ଜଗନ୍ନାଥ ବିହାରସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାରମାନେ, ପରିବାର, ଆତ୍ମୀୟସଜ୍ଜନ, ପ୍ରଶଂସକ ପ୍ରମୁଖ ଅନ୍ତିମ ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।