ଆଜି ମହାକୁମ୍ଭର 41 ଦିନ । ଆଉ 5 ଦିନ ପରେ ସରିଯିବ ଆଧ୍ୟାତ୍ମିକ ମେଳା ମହାକୁମ୍ଭ । ସାଧୁସନ୍ଥ ଯୋଗୀ ଏବଂ ଶ୍ରଦ୍ଧାଳୁଙ୍କ ସମାଗମସ୍ଥଳୀରେ ଖେଳିଯିବ ଶୂନ୍ୟତା । ହାତରେ ଆଉ ମାତ୍ର କେଇଟା ଦିନ ଥିବାରୁ ମହାକୁମ୍ଭର ଶେଷ ପର୍ଯ୍ୟାୟରେ ସଂଗମ ଘାଟରେ ପବିତ୍ର ବୁଡ଼ ପକାଇବାର ସୁଯୋଗ ହାତଛଡ଼ା କରୁ ନାହାନ୍ତି ଶ୍ରଦ୍ଧାଳୁ ।
ଶିବରାତ୍ରୀ ଦିନ ମହାକୁମ୍ଭ ଶେଷ ହେଉଥିବା ବେଳେ ଏହା ଶେଷ ସପ୍ତାହ ହୋଇଥିବାରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲକ୍ଷ ଲକ୍ଷ ଭକ୍ତ ସଂଗମରେ ପବିତ୍ର ବୁଡ ପକାଉଥିବା ବେଳେ ଆଜି ସକାଳ ୧୦ଟା ସୁଦ୍ଧା ୫୨ ଲକ୍ଷ ଲୋକ ବୁଡ ପକାଇ ସାରିଲେଣି । ଆଉ ଏଯାଏଁ ମହାକୁମ୍ଭରେ ମୋଟ ୫୯.୬୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସେପଟେ ଶନିବାର ଏବଂ ରବିବାର ଛୁଟିଦିନ ଥିବାରୁ ଲୋକେ ପ୍ରୟାଗରାଜ ଯିବାର ସୁଯୋଗ ହାତଛଡା କରୁନାହାନ୍ତି । ମହାକୁମ୍ଭ ସରିବାର ଏହା ଶେଷ ଶନିବାର, ରବିବାର ହୋଇଥିବାରୁ ଏହି ଛୁଟି ଦିନରେ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଟ୍ରେନ, ବସ, ବିମାନ, ନିଜ ଗାଡିରେ ସମସ୍ତେ ମହାକୁମ୍ଭ ମୁହାଁ ହୋଇଛନ୍ତି । ପ୍ରୟାଗରାଜ ଯାଉଥିବା କେଉଁ ଗୋଟେ ବି ଟ୍ରେନ୍ ଫାଙ୍କା ନାହିଁ । ସବୁଥିରେ ଭରପୂର ଲୋକ । ଟ୍ରେନ ଭିତରେ ଠେଲାଠେଲି ପରିସ୍ଥିତି ଦେଖିବାକୁ ମିଳିଛି ।
ଟ୍ରେନରେ ଟିକେଟ୍ ମିଳୁନଥିବାରୁ ଅନେକ ବିମାନରେ ଯିବାକୁ ଆଗଭର ହେଉଥିବା ବେଳେ ବିମାନ ଟିକେଟର ଦର ବଢିଯାଇଛି । ମହାକୁମ୍ଭ ପାଇଁ ମହଙ୍ଗା ହୋଇଛି ଦର । ଟିକେଟ୍ ମୂଲ୍ୟ ଏକ ଗୁଣା କି ଦୁଇ ଗୁଣା ନୁହେଁ ଏକାଥରେ ୧୨ ଗୁଣା ବଢି ଯାଇଛି । ବିମାନରେ ଦିଲ୍ଲୀରୁ ପ୍ରୟାଗରାଜ ମାତ୍ର ୩ ହଜାର ଟଙ୍କା ପଡୁଥିବା ବେଳେ ଏବେ ସେହି ଦର ୩୮ରୁ ୪୨ ହଜାର ଟଙ୍କା ଦେଖାଉଛି । ଆଉ ୫ ଦିନ ପରେ ସରିଯିବ ମହାକୁମ୍ଭ । ତେଣୁ ଏହି ୪ ଦିନ ପାଇଁ ଟିକେଟ ଦର ଆକାଶଛୁଆଁ ରହିଥିବା ବେଳେ ୨୬ ଫେବୃୟାରୀ ପରେ ବିମାନ ଟିକେଟ୍ ମୂଲ୍ୟ ମାତ୍ର ୩ ହଜାର ଟଙ୍କା ଦେଖାଉଛି ।
ସେପଟେ ଆଜି ତ୍ରିବେଣୀରେ ସ୍ନାନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପ୍ରୟାଗରାଜରେ ସେ ପବିତ୍ର ବୁଡ ପକାଇବା ପୂର୍ବରୁ ମହାକୁମ୍ଭ ଯାଉଥିବା ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି । ତେବେ ଶିବରାତ୍ରୀ ପାଇଁ ମହାକୁମ୍ଭରେ ଅଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ବ୍ୟାପକ ବ୍ୟବସ୍ଥା ପାଇଁ ଆଜି ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ୯ ଘଣ୍ଟା ଉପସ୍ଥିତ ରହିବେ ଏବଂ ପୂରା ପ୍ରସ୍ତୁତିର ତଦାରଖ କରିବେ ।