ଆମେରିକାରୁ ନିର୍ବାସିତ ଭାରତୀୟଙ୍କୁ ନେଇ ଆଉ ଏକ ବିମାନ ଆଜି ଭାରତରେ ପହଞ୍ଚିବାକୁ ଯାଉଛି । ବିମାନଟି ରାତି ପ୍ରାୟ 10 ଟାରେ ଅମୃତସରରେ ଅବତରଣ କରିବ । ଏହି ବିମାନରେ 119 ଜଣ ଭାରତୀୟ ଥିବା ଜଣା ପଡ଼ିଛି । ସୂଚନା ଅନୁସାରେ 16 ପେବୃଆରିରେ ମଧ୍ୟ ଆଉ ଏକ ବିମାନ ଆସି ପହଞ୍ଚିବ । ଏହା ପୁର୍ବରୁ ଆମେରିକାରୁ ଅବୈଧ ପ୍ରବାସୀଙ୍କୁ ନେଇ ଆସିଥିବା ପ୍ରଥମ ବିମାନଟି ଫେବ୍ରୁଆରି 5 ରେ ଅମୃତସରରେ ଅବତରଣ କରିଥିଲେ । ସେଥିରେ 104 ଜଣ ଭାରତୀୟ ଥିଲେ ।
ଆମେରିକାରୁ ନିର୍ବାସିତ ଭାରତୀୟମାନଙ୍କୁ ନେଇ ଆସୁଥିବା ଦ୍ୱିତୀୟ ବିମାନ ଅମୃତସରେ ଅବତରଣକୁ ନେଇ ରାଜନୀତି ଜୋର ଧରିଛି । ଏହା ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସେ କେନ୍ଦ୍ର ସରକାରଙ୍କ ଉପରେ ପଞ୍ଜାବକୁ ବଦନାମ କରୁଥିବା ଆରୋପ ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ମାନ ମୋଦୀଙ୍କକୁ ଆକ୍ଷେପ କରି କହିଛନ୍ତି “ଆମେରିକାରୁ ନିର୍ବାସିତ ହେଉଥିବା ଭାରତୀୟମାନଙ୍କୁ କେବଳ ଅମୃତସରରେ କାହିଁକି ଅବତରଣ କରାଯାଉଛି? ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ଏହା କ’ଣ ଟ୍ରମ୍ପଙ୍କ ଉପହାର ? ଏହା ଛଡା ଆଜି ଆମେରିକାରୁ ଆସୁଥିବା ଭାରତୀୟମାନଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅମୃତସର ବିମାନବନ୍ଦରକୁ ଯାଇପାରନ୍ତି ବୋଲି ସେ କହିଛନ୍ତି ।
ଦୁଇ ଦେଶ ମିଳିତ ଭାବେ ଆମେରିକାରେ ଥିବା ପ୍ରାୟ ୧୮,୦୦୦ ବେଆଇନ ଭାବେ ପ୍ରବେଶ କରିଥିବା ଭାରତୀୟଙ୍କୁ ଦେଶାନ୍ତର କରିବା ପାଇଁ ଚିହ୍ନଟ କରିଥିଲେ । ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ । ଅନ୍ୟାନ୍ୟ ଦେଶ ଭଳି ଭାରତ ମଧ୍ୟ ଟ୍ରମ୍ପ ପ୍ରଶାସନକୁ ଖୁସି କରିବା ଏବଂ ଏହାର ବାଣିଜ୍ୟ ବିପଦର ପ୍ରଭାବକୁ ଏଡ଼ାଇବା ପାଇଁ ପରଦା ପଛରେ କାମ କରୁଛି । ବେଆଇନ ପ୍ରବାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଟ୍ରମ୍ପଙ୍କ ପାଇଁ ଏକ ପ୍ରମୁଖ ପ୍ରଚାର ପ୍ରତିଶ୍ରୁତି ହୋଇଛି ।