ପୋଲିସ କହିଲା ନା , ହାଇକୋର୍ଟ କହିଲେ ହଁ । ଏପରି ଘଟଣା ଘଟିଛି ପଶ୍ଚିମବଙ୍ଗରେ । ମମତାଙ୍କ ସରକାର ଆରଏସଏସ ର କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇନଥିଲେ । କିନ୍ତୁ ପରେ ହାଇକୋର୍ଟ ବଡ଼ କଥା କହିଛନ୍ତି ।
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (RSS)ର ସରସଂଘଚାଳକ ମୋହନ ଭାଗବତ ପଶ୍ଚିମବଂଗରେ ଏକ ଭାଷଣ ଦେବାର କାର୍ଯ୍ୟକ୍ରମ ଥିଲା । ୧୬ ଫେବୃଆରୀରେ ବର୍ଦ୍ଧମାନ ଜିଲ୍ଲାରେ ହେବାକୁ ଥିବା ସଭା ପାଇଁ ପଶ୍ଚିମବଙ୍ଗ ପୋଲିସ୍ ଅନୁମତି ଦେଇନଥିଲା। ହିଂସା ଭୟ ହେଉ କି ରାଜନୀତି ହେଉ ଏହାକୁ ମନା କରିଥିଲା ପୋଲିସ । କହିଥିଲା ପିଲାଙ୍କ ପାଠପଢ଼ା ବ୍ୟାଘାତ ହେବ । ପରୀକ୍ଷା ଚାଲିଛି । ଏହାକୁ ନେଇ RSS ର ଅଧିକାରୀମାନେ ଗୁରୁବାର (୧୩ ଫେବୃଆରୀ ୨୦୨୫) କୋଲକାତା ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲା। ହାଇକୋର୍ଟ ଶୁକ୍ରବାର (୧୪ ଫେବୃଆରୀ) ଶୁଣାଣି କରି ସଭାକୁ ଅନୁମତି ଦେଇଥିଲା, କିନ୍ତୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଲାଗୁ କରିଥିଲା।
ବିଚାରପତି ଅମୃତା ସିନ୍ହା ପୋଲିସକୁ କଡ଼ା ସ୍ବରରେ କହିବା ସହ କିଛି ସର୍ତ୍ତ ଲାଗୁ କରି ରାଲି କରିବାକୁ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଗଣତନ୍ତ୍ରରେ ସମସ୍ତଙ୍କୁ ସଭା ରାଲି କରିବାକୁ ଅନୁମତି ଦେବା ଆବଶ୍ୟକ । କିଛି ସର୍ତ୍ତ ଲାଗୁ କରାଯିବା ଉଚିତ ।
ରବିବାର ହୋଇଥିବାରୁ କମ ସ୍ବରରେ ଲାଉଡସ୍ପିକର ବ୍ୟବହାର ନେଇ କହିଛନ୍ତି କୋର୍ଟ । ସଭାକୁ ଅନୁମତି ଦେଇ ହାଇକୋର୍ଟ କହିଲା ଯେ ରାଲି ଶାନ୍ତିପୂର୍ଣ୍ଣ ଭାବରେ ଚଲାଯିବା ଉଚିତ୍ ଏବଂ ଶବ୍ଦସ୍ତର ଅଧିକା ହେବା ଉଚିତ୍ ନୁହେଁ। ଏଠି ଉଲ୍ଲେଖନୀୟ ଯେ, ସଂଘ ମୁଖ୍ୟ ଭାଗବତଙ୍କ ଏହି ସଭା ବର୍ଦ୍ଧମାନ ଅଞ୍ଚଳରେ ଅନୁଷ୍ଠିତ ହେବ। ଏହି ସମୟରେ ମାଧ୍ୟମିକ ଶିକ୍ଷା ବୋର୍ଡ (WBBSE) ଦ୍ଵାରା ଆୟୋଜିତ ୧୦ମ ଶ୍ରେଣୀର ପରୀକ୍ଷା ଚାଲିଥିବାରୁ ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧ ଥିଲା।
ଏହାକୁ ଆଧାର କରି ବଙ୍ଗାଳ ପୋଲିସ୍ ସଭା ପାଇଁ ଅନୁମତି ଦେବାରୁ ମନା କରିଥିଲା। ଏହି ଅଞ୍ଚଳରେ ଏକ ବିଦ୍ୟାଳୟ ଥିବାରୁ ଏହା ପରୀକ୍ଷାରେ ବାଧା ସୃଷ୍ଟି କରିପାରେ ବୋଲି ବଙ୍ଗାଳ ପୋଲିସ୍ କହିଥିଲା। କିନ୍ତୁ, ସଂଘ ମୁଖ୍ୟଙ୍କ ସଭା ରବିବାର ହେଉ ଥିବାରୁ ପରୀକ୍ଷା ପ୍ରକ୍ରିୟାକୁ ବାଧା ହେବାର କୌଣସି ପ୍ରଶ୍ନ ନାହିଁ। ଏଠି ଉଲ୍ଲେଖନୀୟ ଯେ, ମୋହନ ଭାଗବତ ବର୍ତ୍ତମାନ ବଙ୍ଗାଳ ପ୍ରବାସରେ ଅଛନ୍ତି। ଆଗାମୀ ଦିନରେ ତାଙ୍କ ଗସ୍ତକୁ ଦେଇ ରାଜନୀତି ସରଗରମ ହେବାରେ ଲାଗିଛି । ମୋହନ ଭାଗବତ କଣ କହୁଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।