ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 2 ଦିନିଆ ଫ୍ରାନ୍ସ ଗସ୍ତ ଶେଷ ହୋଇଛି । ତେବେ ମୋଦୀଙ୍କର ଏହି ଗସ୍ତ ଅବସରରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଗାମୀ ବର୍ଷ ଗୁଡ଼ିକରେ ଦ୍ବିପାକ୍ଷିକ ସହଯୋଗ ସୁଦୃଢ କରିବା ଲକ୍ଷ୍ୟରେ ଅନେକ ଗୁରୁତ୍ବପୂଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି । ଏଥିରେ ସାମରିକ ଚୁକ୍ତି ସର୍ବାଧିକ ମହତ୍ବପୂଣ୍ଣ ରହିଛି । ପ୍ରଯୁକ୍ତି ପରମାଣୁ ଶକ୍ତି ସମେତ ବିଭିନ୍ନ ଗୁରୁତ୍ବପୂଣ୍ଣ କ୍ଷେତ୍ରରେ ଭାରତ ଫ୍ରାନ୍ସ ସହଭାଗିତା ସୁଦୃଢ କରିବା ଉପରେ ମୋଦୀ ଗୁରୁତ୍ବରୋପ କରିଛନ୍ତି । ଏକ୍ସରେ ଏକ ପୋଷ୍ଟ କରି ମୋଦୀ କହିଛନ୍ତି ବିଶ୍ବ ବାଣିଜ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଭାରତ ପାଇଁ ଏବଂ ଫ୍ରାନ୍ସ ଏକାଠି କାମ କରୁଛନ୍ତି ।
ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦ୍ବିପାକ୍ଷିକ କଥାବାର୍ତ୍ତା କରିବା ସହ ପ୍ରତିରକ୍ଷା, ପରମାଣୁ ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଛନ୍ତି ଏବଂ ସହଯୋଗର ସମୀକ୍ଷା କରିଛନ୍ତି। ମୋଦୀଙ୍କ ୨ ଦିନିଆ ଗସ୍ତ ପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ମିଳିତ ବିବୃତି ଜାରି କରି କୁହାଯାଇଛି ଯେ ଉଭୟ ନେତା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ବାରୋପ କରିଛନ୍ତି। ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି) କ୍ଷେତ୍ରରେ ଉଭୟ ରାଷ୍ଟ୍ର ମିଳିତ ଘୋଷଣା କରିଛନ୍ତି। ନୈତିକ ଏବଂ ଦାୟିତ୍ବବାନ୍ ଏଆଇ ବିକାଶ ଉପରେ କାମ କରିବା ନିମନ୍ତେ ମୋଦୀ-ମାକ୍ରନ ଗୁରୁତ୍ବାରୋପ କରିଛନ୍ତି।