ମହାକୁମ୍ଭରେ ପ୍ରବଳ ଭିଡ଼ । ଟ୍ରାଫିକ ଜାମ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ଭିଡ଼ର ସାମ୍ନା କରୁଛନ୍ତି ଆଉ ନାହିଁ ନଥିବା ଦଶା ଭୋଗୁଛନ୍ତି । ଭୁଶୁଡ଼ି ପଡ଼ିଛି ପ୍ରୟାଗରାଜର ଟ୍ରାଫିକ ବ୍ୟବସ୍ଥା ।
ସଙ୍ଗମ ସ୍ଥଳ ପାଇଁ ରାସ୍ତା ଅଲଗା ଅନ୍ୟ ସ୍ଥାନକୁ ଯିବା ଦିଗ ଅଳଗା କରାଯାଇଥିଲେ ବି ନିୟମ ମାନିବାକୁ ନାରାଜ ସମସ୍ତେ । ଅଳ୍ପକେ ସୁବିଧାରେ କେମିତି ଗନ୍ତବ୍ୟସ୍ଥଳରେ ପହଞ୍ଚି ହେବ ସେପନ୍ଥା ଆପଣାଉଛନ୍ତି ଲୋକେ ଆଉ ଏଭଳି ଘଟଣା ପାଇଁ ଉପୁଜିଛି ଉତ୍କଟ ଟ୍ରାଫିକ୍ ସମସ୍ୟା ।
ତେବେ ମହାକୁମ୍ଭର ଏହି ମହାଜାମ୍ ଦେଖି ତାତି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭିଡର ଭୟାବହତା ଏବଂ ଭିଡ ପାଇଁ ରାଜ୍ୟ ଉପରେ ଏକ ଖରାପ ବାର୍ତ୍ତା ଯାଉଥିବାରୁ ବିରକ୍ତି ହୋଇ ପୋଲିସ ଅଫିସରଙ୍କ ଉପରେ ରାଗିଛନ୍ତି ।
୨ ଆଇପିଏସ ଅଫିସରଙ୍କ ଉପରେ ଖପ୍ପା ହୋଇଛନ୍ତି ଯୋଗୀ । କହିଛନ୍ତି ଆପଣମାନଙ୍କ କାନ୍ଧରେ ପୂରା ପ୍ରୟାଗରାଜର ଦାୟିତ୍ବ ଥିଲା କିନ୍ତୁ ଦଳାଚକଟା ଦିନ ହେଉ କି ଅନ୍ୟ ଦିନମାନଙ୍କରେ ଆପଣ ଦାୟିତ୍ବହୀନ ଭାବେ କାମ କରିଛନ୍ତି ଯାହାର ପରିଣାମ ଭୋଗିବାକୁ ପଡିବ ବୋଲି ଇସାରା ଦେଇଥନ୍ତି ମୁଖ୍ୟମନ୍ତ୍ରୀ ।
ତାସହ ମହାକୁମ୍ଭର ବଡ ବଡ ସ୍ନାନ ବେଳେ କେମିତି ଉଚ୍ଚପଦସ୍ଥ ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି ସେନେଇ ସେମାନଙ୍କ ବିରୋଧରେ ନିଲମ୍ବନ ପରି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଧାସିଧା ଶୁଣାଇ ଦେଇଛନ୍ତି ଯୋଗୀ ।
ତେବେ ଗୋଟେ ପଟେ ପ୍ରୟାଗରାଜରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ହନ୍ତସନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଏମିତି ହେଉଛି ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧୨ ଘଣ୍ଟା ଲାଗିଯାଉଛି । ପ୍ରୟାଗରାଜ ପାଖାପାଖି ଅଞ୍ଚଳରେ ଲୋକେ ଫଶିଯାଉଛନ୍ତି, ଗାଡି ମଟର ଜାମ୍ ହେଇଯାଉଛି ।