ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ 4 ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ସହ ଆଲୋଚନା କରିବେ । ଆସନ୍ତା କିଛି ଦିନ ମଧ୍ୟରେ ମୁଁ ଫ୍ରାନ୍ସ ଓ ଆମେରିକାରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ବିଦେଶ ଯିବା ପୁର୍ବରୁ ଏକ ବିବୃତିରେ କହିଛନ୍ତି ।
ଫ୍ରାନ୍ସରେ ମୋଦୀ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଭାଗ ନେବେ। ଏହି ସମ୍ମିଳନୀରେ ସେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହିତ ସହ-ଅଧ୍ୟକ୍ଷତା କରିବେ। ଭାରତ-ଫ୍ରାନ୍ସ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେ ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ଆଲୋଚନା କରିବେ। ସେଠାରେ ଏକ ଦୂତାବାସ ଉଦ୍ଘାଟନ କରିବା ପାଇଁ ଆମେ ମାର୍ସେ ଯିବୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହାପରେ ସେ ଆମେରିକା ଗସ୍ତ କରି ୱାସିଂଟନ ଡିସିରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ଏବଂ ତାଙ୍କର ଆମେରିକା ଗସ୍ତ ଭାରତ-ଆମେରିକା ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ। ରାଷ୍ଟ୍ରପତି ମାକ୍ରନ୍ଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରି ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ରହିବେ। ଫ୍ରାନ୍ସ ଗସ୍ତ ପରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ଏବଂ ଆମେରିକା ପ୍ରଶାସନର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ପାଇଁ ଆମେରିକା ଯିବେ। ଫେବ୍ରୁଆରି ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ। ରାଷ୍ଟ୍ରପତି ଟ୍ରମ୍ପ ଦ୍ବିତୀୟ ପାଳି ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ସାକ୍ଷାତ। ରିପୋର୍ଟ ଲେଖାହେଲା ବେଳକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସରେ ପହଞ୍ଚିଛନ୍ତି। ୨୦୨୫ରେ ମୋଦୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ।