ଗତ ସାଧାରଣ ନିର୍ବାଚନ ପରିଚାଳନାରେ ଅନେକ ନିର୍ବାଚନମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ବିରୋଧୀ ଦଳ ତୁମ୍ବିତୋଫାନ କରୁଛନ୍ତି । ନିର୍ବାଚନ କମିସନଙ୍କ ପାଖରେ ଏହାର ନିଦ୍ଧିଷ୍ଟ ଉତ୍ତର ନାହିଁ । ଏହାପରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ବିଶେଷ କରି ଭୋଟିଂ ମେସିନରେ ମତଦାନ ଏବଂ ମତଗଣନା ସଂଖ୍ୟାକୁ ନେଇ ଅନେକ ଅସଙ୍ଗିତ କଥା କୁହାଯାଉଛି । ଏହାକୁ ନେଇ ନିର୍ବାଚନ କମିସନ ବିବାଦ ଘେରରେ ରହିଥିବା ବେଳେ ମହାରାଷ୍ଟ୍ରରୁ ଏକ ବିସ୍ଫୋରକ ତଥ୍ୟ ଆସିଛି । 20 ନଭେମ୍ବର 2014 ରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଶେଷ ମୁହୂର୍ତ୍ତରେ କେମିତି ମାଡ଼ି ଆସିଲେ । ଏହାର ନିଦ୍ଧିଷ୍ଟ ଉତ୍ତର ନିର୍ବାଚନ କମିସନ ପାଖରେ ବି ନାହିଁ । ଏହି ମାମଲା ବମ୍ବେ ହାଇକୋର୍ଟରେ ପହଞ୍ଚିଥିବା ବେଳେ କୋର୍ଟ ନିର୍ବାଚନ କମିସନଙ୍କୁ ନୋଟିସ ଜାରି କରିଛନ୍ତି । ଏଥିରେ ଜାଲିଆତି ହୋଇଛି ତେଣୁ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ବାତିଲ କରିବା ଲାଗି ଆଦେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଛି ।
ଚେତନ ଆହେରି ନାମକ ଜଣେ ବ୍ୟକ୍ତି ଉପରୋକ୍ତ ପିଟିସନ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମତଦାନର ଶେଷ ମୁହୂର୍ତ୍ତରେ ବିଶେଷ କରି ସନ୍ଧ୍ୟା ୫ଟା ଓ ୬ଟା ପରେ ୭୫ ଲକ୍ଷ ଭୋଟ୍ ପଡ଼ିଛି। ହଠାତ୍ ଏତେ ଭୋଟ୍ କେଉଁଠୁ ଆସିଲା, କିଏ ପକାଇଲା? କମିସନ ପକ୍ଷରୁ ଏହାର ରେକର୍ଡିଂ କରାଯାଇ ନାହିଁ। ଏହି ମତଦାତାଙ୍କ ସଂପର୍କରେ କମିସନ କୌଣସି ତଥ୍ୟ ବି ଦେଉ ନାହାନ୍ତି। ସେମାନଙ୍କ ପାଖରେ ଏଭଳି ତଥ୍ୟ ନାହିଁ ବୋଲି ନିର୍ବାଚନ କମିସନ ଯାହା କହୁଛନ୍ତି, ତାହା ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।
ସନ୍ଧ୍ୟା ୫ରୁ ୬ଟା ମଧ୍ୟରେ କେତେଜଣ ମତଦାନ କରିଛନ୍ତି। ସନ୍ଧ୍ୟା ୬ରୁ ଶେଷ ପର୍ଯ୍ୟନ୍ତ କେତେ ମତଦାନ କରିଛନ୍ତି। ମତଦାନର ଶେଷ ସମୟ ସନ୍ଧ୍ୟା ୬ଟା ହୋଇଥିବା ବେଳେ ଏହି ସମୟ ପରେ ଯେଉଁମାନେ ମତଦାନ କରନ୍ତି ସେମାନଙ୍କୁ ଟୋକନ ଦିଆଯାଇଥାଏ। ପ୍ରତ୍ୟେକ ବୁଥ୍ରେ ଏଭଳି କେତେ ଟୋକନ ଦିଆଯାଇଛି। ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ମୋଟ୍ କେତେ ଟୋକନ୍ ଦିଆଯାଇଛି? ଏହାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ଆବେଦନକାରୀ ନିର୍ବାଚନ କମିସନରୁ ତଥ୍ୟ ଲୋଡ଼ିିଲେ କିନ୍ତୁ କମିସନ କହୁଛନ୍ତି ଯେ ତାଙ୍କ ପାଖରେ ଏହି ତଥ୍ୟ ନାହିଁ। ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବାରୁ ବ୍ୟାପକ ଓ ସ୍ବାଧୀନ ରୂପେ ଏହିସବୁ ଇଭିଏମ୍ ଏବଂ ଭିଭିପିଏଟିର ଅଡିଟ୍ କରିବା ଲାଗି ଆବେଦନକାରୀ ଦାବି କରିଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ପ୍ରକାଶ ଆମ୍ବେଦକର ଆହୁରି ଅଭିଯୋଗ କରିଛନ୍ତି ଯେ ରାଜ୍ୟ ବିଧାନସଭାର ୨୮୮ ନିର୍ବାଚନମଣ୍ଡଳୀ ମଧ୍ୟରୁ ୯୫ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ସଂଖ୍ୟାକୁ ନେଇ ଅସଙ୍ଗତି ରହିଛି। ୧୯ଟି ନିର୍ବାଚନମଣ୍ଡଳୀରେ ଇଭିଏମରେ ଯେତେ ଭୋଟ୍ ପଡ଼ିଥିଲା, ତାହାଠାରୁ ଅଧିକ ଭୋଟ୍ ଗଣତି ହୋଇଛି। ସେହିଭଳି ଅନ୍ୟ ୭୬ଟି ନିର୍ବାଚନମଣ୍ଡଳୀରେ ଯେତେ ସଂଖ୍ୟାରେ ଭୋଟ୍ ପଡ଼ିଥିଲା, ଗଣତି ବେଳେ ଏହି ସଂଖ୍ୟା କମିଯାଇଛି। ଇଭିଏମ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ବଚ୍ଛ ହୋଇଥିବା ବେଳେ ସଂଖ୍ୟାରେ ଏଭଳି ଅସଙ୍ଗତି କେମିତି ହେଲା, ଏହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି।