ଦିଲ୍ଲୀରେ କିଏ ମାରିବ ବାଜି । ବିଜେପି ଜିତିବ କି ଆପ ଜିତିବ । କାହା ସପକ୍ଷରେ ଭୋଟ ଅଛି । ତାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚା । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆଜି ଭୋଟ ଗ୍ରହଣ ଚାଲିଛି । ଅଧିକ ସଂଖ୍ୟାରେ ଭୋଟ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅପିଲ କରିଛନ୍ତି ।
କଡ଼ା ସୁରକ୍ଷା ଭିତରେ ସକାଳ 7 ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସବୁ ବୁଥରେ ଲମ୍ବାଧାଡ଼ି ରହିଛି । ଏଥର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି ଆପ ଓ କଂଗ୍ରେସ ଭୋଟ ପାଇଁ ଜୋରଦାର ପ୍ରଚାର କରିଛନ୍ତି । କିନ୍ତୁ ବିଜେପି-ଆପ ମଧ୍ୟରେ କଡ଼ା ଟକ୍କର ହେଉଥିବା ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ବିଜେପି ପାଇଁ ଅଧିକ ମତ ରହୁଥିବା ବେଳେ କିଛି ଲୋକ କହୁଛନ୍ତି ଅରବିନ୍ଦ କେଜରିଓ୍ବାଲ ଏଥର ହାରି ପାରନ୍ତି । ସିଏମ ପଦରୁ ଇସ୍ତଫା ଦେବା ପରେ ଏବେ ତାଙ୍କର ଲୋକପ୍ରିୟତା ହ୍ରାସ ପାଇଛି ।
ଅନ୍ୟପକ୍ଷେ ବିଜେପି ବି ୨୭ ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ପ୍ରୟାସ ଚଳାଇଛି। ଲଗାତାର ୧୫ ବର୍ଷ ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ପାଇଁ ବି ଚଳିତ ନିର୍ବାଚନ ସମ୍ମାନର ପ୍ରସଙ୍ଗ ପାଲଟିଛି। ଇଣ୍ଡି ମେଣ୍ଟ ସହଯୋଗୀ ସପା, ଟିଏମ୍ସି ଏବଂ ଅନ୍ୟ ଦଳମାନେ ଦିଲ୍ଲୀରେ ଆପ୍କୁ ସମର୍ଥନ କରିଥିବାରୁ କଂଗ୍ରେସ ପାଇଁ ଦିଲ୍ଲୀରେ ଚ୍ୟାଲେଞ୍ଜ ବଢ଼ିଛି। ରାହୁଲ ଗାନ୍ଧୀ ଏଥର କଂଗ୍ରେସକୁ ଭୋଟ ଦେବା ପାଇଁ କହିବା ସହ ସିଧା କେଜରିଓ୍ବାଲଙ୍କୁ ଦୁର୍ନୀତିଗ୍ରସ୍ତ କହିଛନ୍ତି ।
ଦିଲ୍ଲୀରେ ୧୫.୫ ନିୟୁତରୁ ଅଧିକ ଭୋଟର ଅଛନ୍ତି । ଦିଲ୍ଲୀରେ ୧୩,୦୩୩ କେନ୍ଦ୍ରରେ ଭୋଟ୍ ଦେବେ ମତଦାତା। ଏଥର ନିର୍ବାଚନ ଆପ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୨୦୨୪ ସେପ୍ଟେମ୍ବରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀ ନିର୍ବାଚନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି।
ଆତିଶୀଙ୍କ ନେତୃତ୍ବାଧୀନ ଶାସକ ଆପ୍ ଦଳକୁ ବିଜେପି ଏବଂ କଂଗ୍ରେସଠାରୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଛି। ଚଳିତ ବିଧାନସଭା ନିର୍ବାଚନରେ ମୋଟ୍ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଲଗାତାର ୨ ଥର ଦିଲ୍ଲୀରେ ଶାସନ୍ରେ ରହିଥିବା ଆପ୍ ଚଳିତ ଥର ହାଟ୍ରିକ୍ ବିଜୟ ଲକ୍ଷ୍ୟରେ ରହିଛି।