ମାଘ ମାସରେ ଶୀତରେ ସରଗରମ ରହିଛି ଦିଲ୍ଲୀ ରାଜନୀତି । ଆସନ୍ତାକାଲି ଦିଲ୍ଲୀରେ ଭୋଟ ପଡ଼ିବାକୁ ଯାଉଥିବାବେଳେ କିଏ ସେଠାରେ ସରକାର ଗଢିବ , ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଆଉ ଏହାରି ଭିତରେ ଗତକାଲି ଆପ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କ ଦଳ ଏଥର ଦିଲ୍ଲୀରେ 55 ରୁ ଅଧିକ ସିଟ ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଯାହାକୁ ଏନେଇ ଏବେ ଆରମ୍ଭ ହୋଇଛି ମତଦାନ ।
କୁହାଯାଉଛି, ଦିଲ୍ଲୀରେ ସରକାର ବିରୋଧୀ ହାଓ୍ୱାକୁ ପଢିପାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ଯେଉଁ କାରଣରୁ ଏଥର ନିର୍ବାଚନରେ ତାଙ୍କର ସିଟ୍ ସଂଖ୍ୟା ପୂର୍ବ ନିର୍ବାଚନ ଅପେକ୍ଷା କମିବ ବୋଲି ସେ ଖୁଲମ୍ ଖୁଲା କହୁଛନ୍ତି । ଗତ ଦୁଇଟି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୬୦ରୁ ଅଧିକ ଆସନ ଜିତି ସରକାର ଗଢିଥିଲେ ବି, ଏଥର ଏହି ସଂଖ୍ୟା ୫୫ରେ ରହିବ ବୋଲି କେଜ୍ରିଓ୍ୱାଲ କହିବା ପରେ, ଏହାକୁ କାଉଣ୍ଟର ଆଟାକ୍ କରିଛନ୍ତି ବିଜେପି ନେତା ।
ଜାଣିରଖିବା ଉଚିତ୍ ଯେ, ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ୬୨ ଆସନ ମିଳିଥିଲା, ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ହେଲେ ଏଥର କିନ୍ତୁ ଏହି ସଂଖ୍ୟା ୫୫ ହେବ ବୋଲି ନିଜେ କହିଛନ୍ତି କେଜ୍ରିଓ୍ୱାଲ, ଖାଲି ସେତିକି ନୁହେଁ ଦିଲ୍ଲୀର ମାଆ ଭଉଣୀ ଚାହିଁଲେ ଏହି ସଂଖ୍ୟା ୬୦ ଛୁଇଁବ ବୋଲି ମଧ୍ୟ ସେ କହିଛନ୍ତି । ହେଲେ ଏହି ସଂଖ୍ୟା ଯେ, ତାଙ୍କ ପୂର୍ବ ସଂଖ୍ୟାଠୁ କମ୍, ତା ମଧ୍ୟ ସୂଚେଇ ଦେଇଛନ୍ତି କେଜ୍ରିଓ୍ୱାଲ ।
ଏହା ପୂର୍ବରୁ ମଧ୍ୟ ଏକ ନିର୍ବାଚନୀ ରାଲିରେ କେଜ୍ରିଓ୍ୱାଲ କହିଥିଲେ, ଆଜି କାଲି ଅନେକ ଲୋକ କହୁଛନ୍ତି ଯେ, ଆମ୍ ଆଦମୀ ପାର୍ଟିର ସରକାର ତ ହେବ, ହେଲେ ପୂର୍ବ ଅପେକ୍ଷା ସିଟ୍ କମ୍ ହେବ । କିଛି ଲୋକ ଆମ୍ ଆଦମୀ ପାର୍ଟି ୪୫ରୁ ୫୦ ସିଟ୍ ଜିତିବ ବୋଲି ଭବିଷ୍ୟବାଣୀ କରୁଥିବା କହିଥିଲେ କେଜ୍ରିଓ୍ୱାଲ । ତେବେ ବିଜେପି ଏଥର ଦିଲ୍ଲୀରେ ସତ୍ତାକୁ ଫେରିବାକୁ ନିଜର କଳ ବଳ କୌଶଳ ଲଗାଇ ଦେଇଛି । ଏମିତି କି, ଆପର କିଛି ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି । ତେଣୁ ଯେନ ତେନ ପ୍ରକାରେ ଏଥର ଦିଲ୍ଲୀରେ ପୁଣିଥରେ ପଦ୍ମ ଫୁଟାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା । ଏଥିପାଇଁ ଲଗାତାର୍ ରୋଡ୍ ସୋ’ଠୁ ଆରମ୍ଭ କରି, ନିର୍ବାଚନୀ ରାଲି ମଧ୍ୟ କରୁଛନ୍ତି ବିଜେପିର ତମାମ ନେତୃବୃନ୍ଦ