ଅସମ୍ଭାଳ ଭିଡ଼ ହେତୁ ମଙ୍ଗଳବାର ରାତିରେ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ଏବେ ସୁଦ୍ଧା 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଆହତମାନଙ୍କୁ କୁମ୍ଭ କ୍ଷେତ୍ର ସେକ୍ଟର 2 ରେ ଭର୍ତି କରାଯାଇଛି । ତେବେ ଏହି ଦଳାଚକଟା ପରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।
ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରାମର୍ଶ ଦେଇ କହିଛନ୍ତି, ‘‘କୌଣସି ପ୍ରକାରର ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ। ଦଳାଚକଟା ସ୍ଥିତି ପରେ ଏବେ ସ୍ଥିତି ସ୍ବାଭାବିକ ରହିଛି। ଦିନ ତମାମ ମୌନି ଅମାବାସ୍ୟା ବୁଡ଼ ପକାଇବାର ଶୁଭ ମୁହୂର୍ତ୍ତ ରହିଛି। ଅଜଥାରେ ଗହଳି ନକଲେ ଭଲ।’’
ଉଲ୍ଲେଖଯୋଗ୍ୟ, ସାହିସ୍ନାନ ବେଳେ ଦଳାଚକଟାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତ୍ରିବେଣୀ ସଂଗମରେ ହୋଇଥିବା ଦଳାଚକଟାରେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି। ଭିଡ଼ କମିବା ପରେ ପୁଣି ଥରେ ସାହି ସ୍ନାନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ଆଜି ମୌନୀ ଅମାବାସ୍ୟା ପାଇଁ ପ୍ରୟାଗରାଜରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଇଥିଲା।
ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ। ଏହି ସମୟରେ ବ୍ୟାରିକେଡ୍ ଭାଙ୍ଗିଯିବାରୁ ଦଳାଚକଟା ହୋଇଥିଲା
ଅନ୍ୟପଟେ ଏହି ଅଘଟଣକୁ ନେଇ ନିଜର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଛନ୍ତି ଏବହ ନିଜର ପ୍ରିୟଜନଙ୍କୁ ହରାଇଥିବା ଭକ୍ତମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ।
“ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଏଥିରେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ଭକ୍ତମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ, ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପୀଡିତମାନଙ୍କୁ ସମସ୍ତ ପ୍ରକାରେ ସାହାଯ୍ୟ କରିବାରେ ନିୟୋଜିତ ଅଛି,” ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।