ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା । ଅଧିକ ଭିଡ଼ କାରଣରୁ ଦଳାଚକଟା । ଦଳାଚକଟାରେ 10 ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପ୍ରୟାଗରାଜ ମେଡ଼ିକାଲରେ ଭର୍ତି କରାଯାଇଛି ।
ତେବେ ତ୍ରିବେଣୀ ସଂଗମରେ ବୁଡ଼ ପକାଇବା ବେଳେ ଏହି ଦଳାଚକଟା ହୋଇଛି । ମୌନୀ ଅମାବାବସ୍ୟା ପାଇଁ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ଏବଂ ଏହି ଭିଡ଼ ପାଇଁ ହିଁ ଏପରି ଅଘଟଣ ଘଟିଛି ।
ସେପଟେ ଅଘଟଣ ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ଥିତି ସମ୍ପର୍କରେ ପଚାରି ବୁଝି ସବୁ ସହାୟତା ଦେବାକୁ କହିଛନ୍ତି । ଏଥିସହ ଯୋଗୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜେ.ପି ନଡ୍ଡା ମଧ୍ୟ କଥା ହୋଇଛନ୍ତି ।
ମହାକୁମ୍ଭରେ ବଡ ଅଘଟଣ ପରେ ତତ୍ପରତା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ଥିତିର ସମୀକ୍ଷା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କହିଛନ୍ତି । ଖାଲି ଏତିକି ନୁହେଁ ମହାକୁମ୍ଭ ପରି ପବିତ୍ର ସ୍ଥାନରେ ଏପରି ଅଘଟଣକୁ ଗମ୍ଭୀରତାର ସହ ନେଇ ସ୍ଥିତି ଉପରେ ନିଜେ ନଜର ରଖିଛନ୍ତି ମୋଦି ଆଉ ଯୋଗୀଙ୍କ ସହ ବାରମ୍ବାର କଥା ହେଉଛନ୍ତି । ୧ ଘଣ୍ଟା ଭିତରେ ଦୁଇ ଦୁଇ ଥର ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।
ସେପଟେ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସଂଗମ ସ୍ଥଳର ପାଖାପାଖି ସ୍ନାନ କରନ୍ତୁ, ଅତି ଭିରତକୁ ନଯିବାକୁ ପରାମର୍ଶ ଦେଇଛନ୍ତି । ତାସହ ପ୍ରଶାସନର ନିୟମକୁ ମାନି ଚଳିବାକୁ ଅପିଲ କରିଛନ୍ତି ଯୋଗୀ ।
ତେବେ ଜାନୁୟାରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଏଯାଏଁ ୧୫ କୋଟି ଲୋକଙ୍କ ସମାଗମ ହୋଇଥିବା ବେଳେ ଆଜି ମୌନୀ ଅମାବାସ୍ୟା ପାଇଁ ୧୦ କୋଟି ଲୋକଙ୍କ ସମାଗମ ହୋଇଛି । ଆଉ ଏହି ଭିଡ ହିଁ ଦଳାଚକଟାର ବଡ କାରଣ ସାଜିଛି ।