ଭାରତ ଏବଂ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ପ୍ରୟାସ ଚାଲିଛି । ଦୁଇ ରାଷ୍ଟ୍ର ମଧ୍ୟରେ 2020 ମସିହାରୁ ବନ୍ଦ ରହିଥିବା ସିଧାସଳଖ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହେବ ।
ଦୁଇ ଦିନିଆ ଚୀନ ଗସ୍ତରେ ଥିବା ଭାରତର ବିଦେଶ ସଚିବ ବିକ୍ରମ ମିସ୍ରି ଏବଂ ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି ।
କରୋନା ମହାମାରୀ ପରଠାରୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଥିଲା । ତେଣୁ ପ୍ରାୟ 5 ବର୍ଷ ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି ।
2020 ମସିହାରୁ ବନ୍ଦ ରହିଥିବା କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବା ନାଇଁ ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଗ୍ରୀଷ୍ମ ଋତୁରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବା ବେଜିଂରେ ସୋମବାର ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କର ଏକ ବୈଠକ ହୋଇଛି ।
ଏଥିରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ କହିଛନ୍ତି ଯେ ଚୀନ୍ ଓ ଭାରତ ‘ସନ୍ଦେହ’ ଓ ‘ବିଚ୍ଛିନ୍ନତା’ ଅପେକ୍ଷା ‘ପାରସ୍ପରିକ ସମର୍ଥନ ଓ ପାରସ୍ପରିକ ସଫଳତା’କୁ ପ୍ରାଥମିକତା ଦେବା ଉଚିତ। ପୂର୍ବ ଲଦାଖର ଏଲ୍ଏସିରେ ଦୀର୍ଘ ଦିନ ଧରି ସାମରିକ ବିବାଦ ଯୋଗୁ ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା ଚାଲିଛି।
ମିସ୍ରିଙ୍କ ଏହି ଗସ୍ତ ମାତ୍ର ଏକ ମାସ ମଧ୍ୟରେ ଦୁଇ ଦେଶ ଭିତରେ ଦ୍ୱିତୀୟ ହାଇପ୍ରୋଫାଇଲ୍ କାର୍ଯ୍ୟକ୍ରମ। ଗତବର୍ଷ କାଜାନରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ୍ ପରଠାରୁ ଯେଉଁ ଅଗ୍ରଗତି ଘଟିଛି ତାହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଏକ ଭିତ୍ତିଭୂମି ବୋଲି ୱାଙ୍ଗ୍ ଉଲ୍ଲେଖ କରିଛନ୍ତି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୱାଙ୍ଗ୍ କହିଛନ୍ତି, ଉଭୟ ପକ୍ଷ ଏହି ସୁଯୋଗର ଫାଇଦା ଉଠାଇବା, ପରସ୍ପରକୁ ଭେଟିବା, ଅଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଏବଂ ପାରସ୍ପରିକ ବୁଝାମଣା, ପାରସ୍ପରିକ ସମର୍ଥନ ଓ ପାରସ୍ପରିକ ସଫଳତା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ।