ସାରା ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରୁଛି 76 ତମ ସାଧରଣତନ୍ତ୍ର ଦିବସ । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଏକ ଗୁରୁତ୍ବପୂଣ୍ଣ ଦିନ । ଭାରତ ସ୍ବାଧୀନ ହେବା ପରେ ସମ୍ବିଧାନ ସଭା ଗଠନ ହୋଇଥିଲା । 1947 ମସିହା ଡ଼ିସେମ୍ବର 9 ତାରିଖରୁ ସମ୍ବିଧାନ ସଭା ନିଜର କାମ ଆରମ୍ଭ କରିଥିଲା । ବିଶ୍ବର ସବୁଠାରୁ ବଡ଼ ସମ୍ବିଧାନ ପ୍ରସ୍ତୁତ କରିବ ପାଇଁ 2 ବର୍ଷ 11 ମାସ 18 ଦିନ ଲାଗିଥିଲା । ଶେଷରେ 1949 ନଭେମ୍ବର 26 ତାରିଖ ଦିନ ଚିଠା ସମ୍ବିଧାନ ପ୍ରଣୟନ ସଭା ଗୃହୀତ ହେଲା । ଜାନୁଆରୀ 26 କୁ ଆଖି ଆଗରେ ରଖି ସମ୍ବିଧାନ ପ୍ରଣୟନ ସଭାର ଶେଷ ପର୍ବ 1950 ଜାନୁଆରୀ ୨୪ ଓ ୨୫ରେ ଆହୂତ ହୋଇଥିଲା। ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହେବା ସହ ଭାରତ ଏକ ସାର୍ବଭୌମତ୍ବ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଏହି ଦିନ ଲିଖିତ ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ।
ସାଧାରଣତନ୍ତ୍ର ଦିବସରେ ଦେଶର ସମସ୍ତ ସ୍କୁଲ୍, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଏ। ଏହି ରାଷ୍ଟ୍ରୀୟ ପର୍ବ ଦିନ ଦିଲ୍ଲୀରେ ଆୟୋଜିତ ହୁଏ ସ୍ବତନ୍ତ୍ର ପ୍ୟାରେଡ୍ । ଏଥିରେ ସ୍ଥଳ,ବାୟୁ ଓ ନୌସେନାର ଯବାନମାନେ ଅଂଶଗ୍ରହଣ କରି ସେମାନଙ୍କ ଅଦମ୍ୟ ସାହସ ପ୍ରଦର୍ଶନ କରିଥାଆନ୍ତି । ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରନ୍ତି । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିର ଝଲକ ଏହି ପ୍ୟାରେଡ୍ରେ ପ୍ରଦର୍ଶନ କରାଯାଏ । ୧୯୫୪ ପର୍ଯ୍ୟନ୍ତ ସାଧାରଣତନ୍ତ୍ର ଦିବସ ଲାଲକିଲ୍ଲାରେ ଓ ରାମଲୀଲା ମୈଦାନରେ ଆୟୋଜିତ ହେଉଥିଲା । ୧୯୫୫ ପରଠାରୁ ଏହା ରାଜପଥ(ବର୍ତ୍ତମାନର କର୍ତ୍ତବ୍ୟ ପଥ) ରେ ଆୟୋଜିତ ହେଉଛି ।
ଏହି ଅବସରରେ ଦେଶର ପ୍ରଗତିର ସଂକେତ ସ୍ବରୂପ ଦେଶ ନିଜ ସାର୍ବଭୌମ୍ୟର ସୁରକ୍ଷା ପାଇଁ ହାସଲ କରିଥିବା ନୂତନ ଜ୍ଞାନକୌଶଳ ସଂପନ୍ନ ବିଭିନ୍ନ ଯୁଦ୍ଧାସ୍ତ୍ର ଓ ବିମାନକୁ ମଧ୍ୟ ପ୍ରଦର୍ଶନ କରାଯାଇଥାଏ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହାନ୍ ବ୍ୟକ୍ତିତ୍ବଙ୍କୁ ପଦ୍ମ ସମ୍ମାନ ଏବଂ ଦେଶର ସାହସୀ ସେନାନୀଙ୍କୁ ପରମବୀର ଚକ୍ର, ଅଶୋକ ଚକ୍ର ଓ ବୀର ଚକ୍ର ପୁରସ୍କାର ଦେଇ ରାଷ୍ଟ୍ରପତି ସମ୍ମାନିତ କରିଥା’ନ୍ତି।