15 ମାସ ଧରି ଚାଲିଥିବା ଯୁଦ୍ଧ ବିରାମ ଲାଗିଛି । କିଛି ସର୍ତ୍ତ ଲାଗୁ ହେବା ପରେ ଯୁଦ୍ଧ ଥମିଛି । ଏହାରି ଭିତରେ ହମାସ ସଙ୍ଗଠନ ଟନେଲରୁ ବାହାରିଛି । ଇସ୍ରାଏଲ ହମାସକୁ ଧ୍ବଂସ କରିବା ପାଇଁ ଯୋରଦାର ପ୍ରୟାସ କରିବା ସତ୍ତ୍ବେ ସଫଳତା ମିଳିନାହିଁ ।
ଗାଜା ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ହମାସ ତୁରନ୍ତ ଉପକୂଳବର୍ତୀ ଅଞ୍ଚଳ ଉପରେ ନିଜ ନିୟନ୍ତ୍ରଣକୁ ଦୃଢ କରିଛି । ସେମାନଙ୍କ ସଦସ୍ୟମାନେ ପୁଣି ରାସ୍ତାରେ ବୁଲିବା ଆରମ୍ଭ କରିଛନ୍ତି ।
ହମାସର ଆତଙ୍କବାଦୀମାନେ ପତାକା ଉତ୍ତୋଳନ କରିବା ସହ ଗାଜାର ରାସ୍ତାରେ ପାଟ୍ରାଲିଂ କରୁଛନ୍ତି । ଇସ୍ରାଏଲ ପୂର୍ବରୁ ହମାସ ନେତୃତ୍ବକୁ ଧ୍ବଂସ କରିଥିବା ବେଳେ ଏହି ଆତଙ୍କବାଦୀ ସଂଗଠନର ଏଭଳି ଦ୍ରୁତ ପ୍ରତ୍ୟାବର୍ତନ ଲୋକଙ୍କୁ ବିସ୍ମିତ କରିଛି ।
ଅସ୍ତ୍ରବିରତି ପରେ ହମାସ ପୁଣି ଥରେ ଶାସନ ଆରମ୍ଭ କରିଛି, ରାସ୍ତାରେ ଫୋର୍ସ ମୁତୟନ କରିଛି, ସହାୟତା ବଣ୍ଟନ ପରିଚାଳନା କରୁଛି ଏବଂ ଗାଜାରେ ଶାସନ ଫେରାଇ ଆଣିବାକୁ ଚେଷ୍ଟା କରୁଛି।
ପୂର୍ବରୁ ଆମେରିକା ବାଇଡେନ ପ୍ରଶାସନ ଗାଜାରେ ପାଲେଷ୍ଟାଇନ ନେତୃତ୍ବକୁ ସମର୍ଥନ କରିଥିଲା, କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ସ୍ଥାନୀୟ ପୌରପାଳିକାଗୁଡ଼ିକ ଆବର୍ଜନା ସଫା କରିବା ଓ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ପାଇଁ ହମାସ ସହିତ ସହଯୋଗ କରୁଛନ୍ତି। ତେଣେ ଇସ୍ରାଏଲର ପ୍ରାଥମିକ ଲକ୍ଷ୍ୟ ହେଉଛି ହମାସର ଉଚ୍ଛେଦ। ହମାସର ଶାସନ ଇସ୍ରାଏଲର ସୁରକ୍ଷା ପାଇଁ ବିପଦ ବୋଲି ବୈଦେଶିକ ମନ୍ତ୍ରୀ ଗିଦିୟୋନ ସାର୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।