ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ନିଷ୍ପତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ପ୍ରଥମ ଦିନରେ ସେ 78ଟି ନିଷ୍ପତ୍ତିକୁ ବାତିଲ କରିଥିଲେ। ଆମେରିକା-ମେକ୍ସିକୋ ସୀମାରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋ ସୀମାରେ ମୁତୟନ ହେବା ପାଇଁ ୧୫୦୦ଅତିରିକ୍ତ ସୈନ୍ୟଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସୀମାରେ ବେଆଇନ ଅନୁପ୍ରବେଶକୁ ରୋକିବା ପାଇଁ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ସୀମା ସୁରକ୍ଷାକୁ ଟ୍ରମ୍ପ ପ୍ରାଥମିକତା ଦେଇଛନ୍ତି।
ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାର ପ୍ରଥମ ଦିନରେ ମେକ୍ସିକୋ ଏବଂ ଆମେରିକା ସୀମାରେ ସେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଅତିରିକ୍ତସୈନ୍ୟଙ୍କ ଆଗମନ ସହିତ ମେକ୍ସିକୋ ସୀମାରେ ନିୟୋଜିତ ସକ୍ରିୟ ଡ୍ୟୁଟି ସୈନ୍ୟ ସଂଖ୍ୟା ୪,୦୦୦ କୁ ବୃଦ୍ଧି ପାଇବ ବୋଲି କୁହାଯାଉଛି।
ପ୍ରେସ ସଚିବ କାରୋଲିନ୍ ଲେଭିଟ୍ ହ୍ବାଇଟ ହାଉସକୁ କହିଛନ୍ତି ଯେ, ଆମେରିକାର ଦକ୍ଷିଣ ସୀମା ପାଇଁ ୧,୫୦୦ ଅତିରିକ୍ତ ସୈନ୍ୟ ପଠାଯିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି।